ପୁଣି ଋଣ ପରିଶୋଧ ପାଇଁ ପ୍ରସ୍ତାବ ଦେଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ : ଦେଶର କରୋନା ଭାଇରସକୁ ନେଇ ଲଢେଇ କରୁଥିବାବେଳେ କିଙ୍ଗଫିସର ମୁଖ୍ୟ ବିଜୟ ମାଲ୍ୟା ସରକାରଙ୍କୁ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖି ସେ କହିଛନ୍ତି ଯେ ଏହି ସଂକଟଜନକ ସ୍ଥିତିରେ ସେ ବ୍ୟାଙ୍କମାନଙ୍କଠାରୁ ନେଇଥିବା ସବୁ ଋଣ ପରିଶୋଧ କରିବାକୁ ରାଜି ଅଛନ୍ତି ।

 

ମାଲ୍ୟା କହିଛନ୍ତି ଯେ ବ୍ୟାଙ୍କମାନଙ୍କଠାରୁ ନେଇଥିବା ଋଣ ପରିଶୋଧ କରିବାକୁ ବାରମ୍ବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ବ୍ୟାଙ୍କମାନ ଶୁଣୁନାହାନ୍ତି । ଏପରିକି ଇଡି ମଧ୍ୟ ଶୁଣୁନାହିଁ । ସେପଟେ ସରକାର ତାଙ୍କର ସବୁ ସମ୍ପତ୍ତିକୁ ଅଚଳ କରିଦେଇଛନ୍ତି । ଏହି ସଂକଟ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ କଥା ଶୁଣନ୍ତୁ ବୋଲି ସେ ନିବେଦନ କରିଛନ୍ତି । କରୋନା ସଂକ୍ରମଣ ରୋକିବାକୁ ଭାରତ ସରକାର ନେଇଥିବା ପଦକ୍ଷେପକୁ ସେ ପ୍ରସଂଶା କରିଛନ୍ତି ।
ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।

ସମ୍ବନ୍ଧିତ ଖବର