ନିଲାମ ହେବ ବିଜୟ ମାଲ୍ୟାଙ୍କର ୯୦ ମିଲିୟନ ଆମେରିକୀୟ ଡଲାର ମୂଲ୍ୟର ବିଳାସପୂର୍ଣ୍ଣ ବିମାନ ଏୟାରବସ୍‌ ଏ- ୩୧୯

ନୂଆଦିଲ୍ଲୀ: ଦେଶର ବିଭିନ୍ନ ବ୍ୟାଙ୍କ୍‌ରୁ ନେଇଥିବା ହଜାର ହଜାର କୋଟି କୋଟି ଟଙ୍କାର ଋଣକୁ ପରିଶୋଧ ନକରି ଦେଶ ଛାଡ଼ି ପଳାତକ ସାଜିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସପୂର୍ଣ୍ଣ ବିମାନ ଏୟାରବସ୍‌ ଏ- ୩୧୯କୁ ନିଲାମ କରାଯିବ। ସଂପ୍ରତି ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତିକ ବିମାନ ବନ୍ଦର ପାର୍କିଂରେ ପଡ଼ି ରହିଥିବା ମାଲ୍ୟାଙ୍କର ଏହି ବିମାନକୁ ଆସନ୍ତା ଜୁନ୍‌ ୨୯ ଓ ୩୦ ତାରିଖରେ ଅନ୍‌ଲାଇନ୍‌ ନିଲାମ ଜରିଆରେ ବିକ୍ରୟ କରିଦେବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କର ବିଳାସପୂର୍ଣ୍ଣ ବିମାନ ଏୟାରବସ୍‌ ଏ- ୩୧୯ର ମୂଲ୍ୟ ୯୦ ମିଲିୟନ ଆମେରିକୀୟ ଡଲାର। ବିଜୟ ମାଲ୍ୟା ଯେତେବେଳେ କିଙ୍ଗ୍‌ଫିସର ଏୟାରଲାଇନ୍ସ ପ୍ରତିଷ୍ଠା କରି ତା’ର ପରିଚାଳନା ନିର୍ଦ୍ଦେଶକ ପଦବିରେ ରହିଥିଲେ ସେତେବେଳେ ସେ ତାଙ୍କର ବ୍ୟକ୍ତଗତ ବ୍ୟବହାର ପାଇଁ ଏହି ବିଳାସପୂର୍ଣ୍ଣ ବିମାନ ଏୟାରବସ୍‌ ଏ- ୩୧୯କୁ କିଣିଥିଲେ। ଏହି ବିମାନରେ ଶୟନକକ୍ଷ ଠାରୁ ଆରମ୍ଭ କରି ସ୍ନାନାଗାର, ବାର୍‌, ଡାଇନିଂ, ଡ୍ରଇଂରୁମ୍‌ ଓ କନଫରେନ୍ସ ହଲ୍‌ ଇତ୍ୟାଦି ବ୍ୟବସ୍ଥା ରହିଛି।

ଏହି ବିମାନରେ ୨୫ ଜଣ ଯାତ୍ରୀଙ୍କ ସମେତ ୬ ଜଣ କ୍ର୍ୟୁ ସଦସ୍ୟ ଯାତ୍ରା କରିପାରିବେ। ତେବେ, କିଙ୍ଗ୍‌ଫିସର ଏୟାରଲାଇନ୍ସ ପାଇଁ ମାଲ୍ୟା ବ୍ୟାଙ୍କ୍‌ରୁ ନେଇଥିବା ୧୦୦୦ କୋଟିର ଋଣକୁ ପରିଶୋଧ କରିବାରେ ବିଫଳ ହେବା ପରେ ତାଙ୍କର ଏହି ବିଳାସପୂର୍ଣ୍ଣ ବିମାନଟି ବିଗତ ୨୦୧୩ରୁ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତିକ ବିମାନ ବନ୍ଦର ପାର୍କିଂରେ ପଡ଼ିରହିଛି।

ଦେଶର ସବୁଠାରୁ ବ୍ୟସ୍ତବୁହଳ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତିକ ବିମାନ ବନ୍ଦର ପାର୍କିଂରେ ଏହି ବିମାନ ବନ୍ଦରଟି ପାର୍କିଂ ପାଇଁ ୬୦୦୦ ବର୍ଗଫୁଟର ଜାଗା ଅକ୍ତିଆର କରି ରଖିଛି। ଏବଂ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତର୍ଜାତିକ ବିମାନ ବନ୍ଦର ପାର୍କିଂରେ ଘଣ୍ଟା ପ୍ରତି ଦେୟ ହେଉଛି ୧୫,୦୦୦ ଟଙ୍କା। ଏହି ହିସାବରେ ପାର୍କିଂଦେୟ ବାବଦରେ ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବକେୟା ପଡ଼ିଲାଣି ମାଲ୍ୟାଙ୍କ ଉପରେ। ସେଥିପାଇଁ ମାଲ୍ୟାଙ୍କର ଏହି ବିମାନକୁ ନିଲାମ ଜରିଆରେ ବିକ୍ରୟ କରିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ।

ସମ୍ବନ୍ଧିତ ଖବର