ବିଜୟ ମାଲ୍ୟାକୁ ଝଟକା : ଫ୍ରାନ୍ସରେ ଥିବା ୧.୬ ନିୟୁତ ୟୁରୋ ମୂଲ୍ୟର ସମ୍ପତ୍ତି ଜବତ

ମୁମ୍ବାଇ :  ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ ବା ଇଡି ପକ୍ଷରୁ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାର ଫ୍ରାନ୍ସରେ ଥିବା  ୧.୬ ନିୟୁତ ୟୁରୋ ମୂଲ୍ୟର ସମ୍ପତ୍ତିକୁ ଜବତ କରାଯାଇଛି ।

ଇଡି ପକ୍ଷରୁ କୁହାଯାଇଛି ଯେ, ଫ୍ରାନ୍ସର ୩୨ ଆଭେନ୍ୟୁ, ଏଫଓସିଏଚରେ ଥିବା ଏକ କୋଠାକୁ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଜବତ କରାଯାଇଛି । ଇଡିର ଅନୁରୋଧ କ୍ରମେ ଫ୍ରାନ୍ସ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ଜବତ ହୋଇଥିବା ଏହି ସମ୍ପତ୍ତିର ମୂଲ୍ୟ ୧.୬ ନିୟୁତ ୟୁରୋ (ପ୍ରାୟ ୧୪ କୋଟି ଟଙ୍କା ) ହେବ ବୋଲି ଆକଳନ କରାଯାଇଛି ।

ଇଡି ପକ୍ଷରୁ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ବିଜୟ ମାଲ୍ୟାର ମୋଟ ପ୍ରାୟ ୧୧,୨୩୧ କୋଟିର ସମ୍ପତ୍ତିକୁ ଜବତ କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟିର ଋଣ ଖିଲାପ କରି ବିଜୟ ମାଲ୍ୟା ଭାରତରୁ ଫେରାର ହୋଇଯାଇଛି । ସେ ୨୦୧୬ ମାର୍ଚ୍ଚ ମାସରୁ ଲଣ୍ଡନରେ ରହୁଛି । ଲଣ୍ଡନରୁ ଭାରତକୁ ପ୍ରତ୍ୟାର୍ପଣ କରିବାକୁ ଭାରତ ସରକାର ଲଣ୍ଡନରେ ଆଇନଗତ ମାମଲା ଲଢୁଛନ୍ତି । ବ୍ରିଟିଶ କୋର୍ଟ ମାଲ୍ୟାଙ୍କୁ ଭାରତ ପ୍ରତ୍ୟାର୍ପଣ ପାଇଁ ନିର୍ଦ୍ଦେଶ ଦେଇସାରିଥିବା ସତ୍ତ୍ବେ କେତେକ ଆଇନଗତ ଓ ପ୍ରକ୍ରିୟାଗତ ଜଟିଳତା ପାଇଁ ଏପର୍ଯ୍ୟନ୍ତ ପ୍ରତ୍ୟାର୍ପଣ ହୋଇପାରିନାହିଁ । ଏହି ଆଇନଗତ ଜଟିଳତାର ସମାଧାନ ନ ବାହାରିବା ପର୍ଯ୍ୟନ୍ତ ମାଲ୍ୟାକୁ ପ୍ରତ୍ୟାର୍ପଣ କରାଯାଇପାରିବ ନାହିଁ ବୋଲି ବ୍ରିଟିଶ ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର