ମାତ୍ର ୫ ନିୟୁତ ଡଲାରରେ ନିଲାମ ହେଲା ବିଜୟମାଲ୍ୟାଙ୍କ ୧୦୦ ନିୟୁତ ଡଲାର ମୂଲ୍ୟର ବିଳାସମୟ ବିମାନ

ବାଙ୍ଗାଲୋର : ବିଜୟ ମାଲ୍ୟାଙ୍କ ବିଳାଶମୟ କର୍ପୋରେଟ ଜେଟକୁ ନିଲାମ କରିଦିଆଯାଇଛି । କର୍ଣ୍ଣାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ବିମାନକୁ ନିଲାମ କରାଯାଇଛି । ପୂର୍ବରୁ ଏହି ନିଲାମ ପାଇଁ ଦୁଇଥର ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ବିଫଳ ହୋଇଥିଲା । କିନ୍ତୁ ଏଥର ନିଲାମ ସଫଳ ହୋଇଛି । ନିଲାମରେ ଆମେରିକାର ଆଭିଏସନ ମ୍ୟାନେଜମେଣ୍ଟ ସେଲ୍ସ ଜିତିଛି । ଏହି ସଂସ୍ଥା ୫.୦୫ ନିୟୁତ ଡଲାର ବା ୩୪.୮ କୋଟି ଟଙ୍କାରେ ଏହି ବିମାନକୁ କିଣିବ । ତେବେ ଏହି ଏୟାରବସ ବିମାନଟିର ପ୍ରକୃତ ମୂଲ୍ୟ ପ୍ରାୟ ୧୦୦ ନିୟୁତ ଡଲାର ହେବା ଅଟକଳ କରାଯାଉଛି । କାରଣ ଏହା ଏକ ଅତ୍ୟାଧୁନିକ ବିମାନ ହେବା ସହ ଏହାର ଇଣ୍ଟେରିୟର ବେଶ ଆକର୍ଷଣୀୟ ଓ ଏଥିରେ ସବୁପ୍ରକାରର ବିଳାଶମୟ ବ୍ୟବସ୍ଥା ରହିଛି । କିନ୍ତୁ ଏହି ବିମାନଟି ଗତ ୫ ବର୍ଷ ହେଲା ପଡିରହିଥିବାରୁ ତାହା ଏତେ ଶସ୍ତା ଦରରେ ନିଲାମ ହୋଇଯାଇଛି ।
ସୂଚନାଯୋଗ୍ୟ ଯେ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଋଣ ନେଇ ନ ଶୁଝି ସେ ବିଦେଶ ପଳାୟନ କରିଛନ୍ତି । ଏବେ ସେ ଲଣ୍ଡନରେ ରହୁଛନ୍ତି ଓ ପ୍ରତ୍ୟାର୍ପଣ ମାମଲାରେ ସମ୍ମୁଖୀନ ହେଉଛନ୍ତି । ଦୁଇ ସପ୍ତାହ ପରେ ଲଣ୍ଡନର ଏକ କୋର୍ଟରେ ଏହି ମାମଲାର ଶୁଣାଣି ହେବ । ତିନି ଦିନ ତଳ ସେ ଟ୍ଵିଟ କରି କହିଥିଲେ ଯେ ତାଙ୍କୁ ଭାରତରେ ବ୍ୟାଙ୍କ ଠକେଇର ପୋଷ୍ଟର ବୟ ବନେଇଦିଆଯାଇଛି । ବ୍ୟାଙ୍କମାନେ ତାଙ୍କୁ ଇଚ୍ଛାକୃତ ବ୍ୟାଙ୍କ ଖିଲାପୀ ବୋଲି କହୁଛନ୍ତି ।

ସମ୍ବନ୍ଧିତ ଖବର