ଲଣ୍ଡନ- ସୋମବାରଠାରୁ ବ୍ରିଟେନରେ ଆରମ୍ଭ ହୋଇଛି ଭାରତୀୟ ମଦ ସମ୍ରାଟ୍ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ମାମଲାର ଶୁଣାଣି । ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ଅନୁଷ୍ଠିତହେଉଥିବା ଏହି ଶୁଣାଣି ପାଇଁ ମାଲ୍ୟା ବ୍ୟକ୍ତିଗତଭାବେ ହାଜର ହୋଇଛନ୍ତି । ଆଜିର ଏହି କୋର୍ଟ ଶୁଣାଣିରେ ଆଭିଏସନ ଏକ୍ସପର୍ଟ ଡଃ ବି.ହମ୍ପ୍ରେସ୍, ମାଲ୍ୟାଙ୍କ ଫୋର୍ସ ଇଣ୍ଡିଆ ଫର୍ମୁଲା ଓ୍ଵାନ ରେସିଂ ଟିମର ଚିଫ୍ ଆକାଉଣ୍ଟାଣ୍ଟ ମାର୍ଗାରେଟ୍ ସ୍ୱିନି, ଭାରତୀୟ ଆଇନ ସଂପର୍କରେ ବିଶେଷଜ୍ଞ ପ୍ରଫେସର ଲାଉ ପ୍ରମୁଖ ଅଂଶଗ୍ରହଣ କରିବେ । ଜଜ୍ ଆରବଟନଟ୍ ଏହି ମାମଲାର ଶୁଣାଣି କରୁଛନ୍ତି ।
ଗତ ଏପ୍ରିଲରେ ମନି ଲଣ୍ଡରିଙ୍ଗ୍ ବା ବେଆଇନ ଆର୍ଥିକ କାରବାର ଅଭିଯୋଗରେ ବ୍ରିଟେନର ସ୍କଟ୍ଲ୍ୟାଣ୍ଡ ୟାର୍ଡ ପୋଲିସ୍ ବିଜୟ ମାଲ୍ୟାଙ୍କୁ ଗିରଫ କରିଥିଲା । ସେ ଏବେ ୬୫୦,୦୦୦ ପାଉଣ୍ଡର ବେଲ୍ ବଣ୍ଡରେ ଜାମିନରେ ଅଛନ୍ତି ।
୬୧ ବର୍ଷୀୟ ମାଲ୍ୟା ଗତ ବର୍ଷ ମାର୍ଚ୍ଚ ମାସରେ ଭାରତରୁ ପଳାୟନ କରି ବ୍ରିଟେନରେ ରହୁଛନ୍ତି । ଭାରତରେ ନିଜର ଦେବାଳିଆ ବିମାନସେବା କମ୍ପାନି କିଙ୍ଗଫିସର ଲାଗି ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କାର ଋଣ ଆଣି ପରିଶୋଧ ନ କରିବାରୁ ବ୍ୟାଙ୍କମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ତେବେ ଆସନ୍ତା ବର୍ଷ ପୂର୍ବରୁ ଏହି ପ୍ରତ୍ୟାର୍ପଣ ମାମଲାର ରାୟ ଆସିବା ସମ୍ଭବ ନୁହେଁ ବୋଲି କେତେକ ବିଶେଷଜ୍ଞ କହିଛନ୍ତି । ଯଦି କୋର୍ଟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ରାୟ ଦିଅନ୍ତି, ତେବେ ଦୁଇମାସ ମଧ୍ୟରେ ବ୍ରିଟିଶ ସରକାରଙ୍କୁ ଏହି ପ୍ରତ୍ୟାର୍ପଣ କରିବାକୁ ହେବ ।