ଅହମ୍ମଦାବାଦ: ଗୁଜୁରାଟ ବିୀଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତୀନ ପଟେଲ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏଥିସହ ନୀତୀନ ପଟେଲ ମଧ୍ୟ ବିଜେପି ରାଜ୍ୟ ସଭାପତି ସି.ଆର ପାଟିଲଙ୍କୁ ଏକ ଚିଠି ଲେଖିଛନ୍ତି। କୁହାଯାଇଛି ଯେ ସେ ମଧ୍ୟ ନିର୍ବାଚନ ଲଢ଼ିବାକୁ ଚାହୁଁନାହାଁନ୍ତି। ଏହି ଦୁଇ ଜଣଙ୍କ ବ୍ୟତୀତ ଆଉ ଅନ୍ୟ କେତେକ ନାମ ମଧ୍ୟ ସାମ୍ନାକୁ ଆସିଛି ଯେଉଁମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି। ରୂପାନି ସରକାରଙ୍କ ମୋଟ ୮ ଜଣ ମନ୍ତ୍ରୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି।
ବିଜୟ ରୂପାନି ସରକାରଙ୍କ କ୍ୟାବିନେଟରେ ଶିକ୍ଷା ଓ ରାଜସ୍ୱ ମନ୍ତ୍ରୀ ଥିବା ଭୁପେନ୍ଦ୍ର ସିଂ ଚୁଡାସାମା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏହା ସହିତ ଗୃହମନ୍ତ୍ରୀ ପ୍ରଦୀପ ସିଂ ଜାଡେଜା ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ଘୋଷଣା କରିଛନ୍ତି। ବୋଟାଡରୁ ବିଧାୟକ ଥିବା ଶକ୍ତି ମନ୍ତ୍ରୀ ସୌରଭ ପଟେଲ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଭାବନଗର ବିଧାୟକ ତଥା ରୂପାନୀ ସରକାରର ମନ୍ତ୍ରୀ ବିଭଭାରୀ ବେନ ଦୁବେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ରୁପାନି ସରକାରଙ୍କ ମନ୍ତ୍ରୀ କୌଶିକ ପଟେଲ, ବଲ୍ଲବ କାକଡିଆ ଓ ଯୋଗେଶ ପଟେଲ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।
ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯିବ। ଗୁଜୁରାଟରେ ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ଡିସେମ୍ବର ୮ ରେ ହିମାଚଳ ପ୍ରଦେଶ ନିର୍ବାଚନ ଫଳାଫଳ ସହିତ ଫଳାଫଳ ଘୋଷଣା କରାଯିବ।