ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଭାରତରୁ ଫେରାର ମାଲ୍ୟା ଇଂଲଣ୍ଡରେ ଥିବା ବେଳେ ତାଙ୍କ ନାଁରେ ବଡ଼ ଖୁଲାସା କରିଛନ୍ତି ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇ। ଲୋନ୍ ଆକାରରେ ନେଇଥିବା ୬ ହଜାର କୋଟିରୁ ଅଧିକ ଟଙ୍କାକୁ ବିଦେଶରେ ସେଲ୍ କଂପାନିରେ ପରିବର୍ତ୍ତିତ କରିଛନ୍ତି ମାଲ୍ୟା। ଏହି ଟଙ୍କାକୁ ଭାରତର ବିଭିନ୍ନ ବ୍ୟାଙ୍କରୁ କିଙ୍ଗଫିସର ଏୟାରଲାଇନ୍ସ ନାଁରେ ଋଣ ଆକାରରେ ନେଇଥିଲେ ଲିକର କିଙ୍ଗ ବିଜୟ ମାଲ୍ୟା।
୭ ଟି ଦେଶରେ ଥିବା ସେଲ୍ କଂପାନି ଗୁଡ଼ିକରେ ଏହି ଟଙ୍କାକୁ ମାଲ୍ୟା ନିବେଶ କରିଥିବା ଇଡି ଓ ସିବିଆଇ କହିଛି। ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଆୟର୍ଲାଣ୍ଡରେ ଥିବା ସେଲ୍ କଂପାନିଗୁଡିକୁ ତଥ୍ୟ ମଗାଯାଇଛି। କିଙ୍ଗଫିସର ଏୟାରଲାଇନ୍ସର ଅବସ୍ଥା ସୁଧାରିବାକୁ ୧୭ଟି ବ୍ୟାଙ୍କକୁ ନେଇ ଗଠିତ କନସୋର୍ଟିଅମରୁ ୬ହଜାର ୨୭ କୋଟି ଟଙ୍କା ଋଣ ନେଇଥିଲେ ମାଲ୍ୟା। ଏହି ଆଧାରରେ ଇଂଲଣ୍ଡରୁ ମାଲ୍ୟାଙ୍କୁ ଶୀଘ୍ର ଭାରତ ପ୍ରତ୍ୟାର୍ପଣ ପାଇଁ ଲଣ୍ଡନ କୋର୍ଟରେ ଆବେଦନ କରିବାକୁ ନିଷ୍ପତ୍ତି ନେଇଛି ସିବିଆଇ।