ମୁମ୍ବାଇ: ଦୀର୍ଘ ୩୨ ବର୍ଷ ଏକାଠି ରହିବା ପରେ ପତ୍ନୀ ନୱାଜ ମୋଦୀ ସିଂଘାନିଆଙ୍କଠାରୁ ରେମଣ୍ଡ ଗ୍ରୁପ୍ର ଅଧ୍ୟକ୍ଷ ଗୌତମ ସିଂଘାନିଆ ଅଲଗା ହେବା ଖବର ସହିତ ବାପା ଓ ପୁଅ ମଧ୍ୟରେ ବିବାଦକୁ ନେଇବି ଖବର ଚର୍ଚ୍ଚାରେ ରହିଛି।
ସୂଚନାଯୋଗ୍ୟ, ୨୦୧୫ରେ କମ୍ପାନିର ୩୭ପ୍ରତିଶତ କଂଟ୍ରୋଲିଂ ଷ୍ଟାକକୁ ବିଜୟପତ ସିଂଘାନିଆ ନିଜ ପୁଅ ଗୌତମଙ୍କ ନାଁରେ କରିବା ପରେ ସମସ୍ୟା ଆରମ୍ଭ ହୋଇଯାଇଥିଲା ।
ବିଜୟପତ କହିଛନ୍ତି, ‘ମୁଁ ପୁଅ ଗୌତମ ନାମରେ ସମ୍ପତ୍ତି କରିଦେବା ପରେ ପୁଅ ମୋତେ ଅଫିସ ଓ ବାସଭବନରୁ ବାହାର କରି ଦେଇଥିଲା। ପୁଅକୁ ମୋର ସବୁ ସମ୍ପତ୍ତି ଦେଇ ଭୁଲ କରି ଦେଇଛି। ସେ ଏବେ ତାର ସ୍ତ୍ରୀ ନୱାଜ ମୋଦୀଙ୍କୁ ବି ଘରୁ ବାହାର କରି ଦେଇଛି। ମୁଁ ମୋ ବୋହୂ ସହିତ ଅଛି। ମୋ ଦ୍ବାରା ଯାହା ହୋଇ ପାରିବ ମୁଁ ବୋହୂଙ୍କୁ ସାହାଯ୍ୟ କରିବି।
ବୋହୂ ଗୌତମର ସମ୍ପତ୍ତିର ୭୫ପ୍ରତିଶତ ଭରଣପୋଷଣ ପାଇଁ ଦାବି କରିଛନ୍ତି। ଏହାକୁ ଗୌତମ ସମର୍ଥନ କରିଥିବା ଖବର ପାଇଛି। କିନ୍ତୁ ମୁଁ ଭଲଭାବେ ଜାଣିଛି ସେ ବୋହୂକୁ ଟଙ୍କାଟିଏ ବି ଦେବ ନାହିଁ।
ପୁଅକୁ ସବୁ ସମ୍ପତ୍ତି ଦେଇଦେବା ପରେ ମୁଁ ବହୁତ କଷ୍ଟରେ ଦିନ କାଟୁଛି। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ ପିଲାଙ୍କ ପାଇଁ ଯାହା ଇଚ୍ଛା କରି ଯାଆନ୍ତୁ କିନ୍ତୁ ବଞ୍ଚିଥିଲା ପର୍ଯ୍ୟନ୍ତ ସମତ୍ତିକୁ କେବେ ତାଙ୍କ ନାମରେ କରନ୍ତୁ ନାହିଁ। ଏମିତି ତ ମଲାପରେ ସବୁ ସମ୍ପତ୍ତି ପିଲାଙ୍କର ହିଁ ହେବ ।’