ଏନ୍‌କାଉଣ୍ଟରରେ ବିକାଶ ଦୁବେ ନିହତ

ଦିନକ ତଳେ ଗିରଫ ହୋଇଥିଲା, ଏନ୍‌କାଉଣ୍ଟର୍‌କୁ ନେଇ ଉଠିଲା ପ୍ରଶ୍ନ

ପୋଲିସ-ଅପରାଧୀ ମଧୁଚନ୍ଦ୍ରିକା ଧରାପଡ଼ିବା ଭୟରେ ହତ୍ୟା: ବିରୋଧୀ

କାନପୁର : ଉତ୍ତର ପ୍ରଦେଶରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କୁଖ୍ୟାତ ଡନ୍ ବିକାଶ ‌ଦୁବେ ଧରାପଡ଼ିବାର ୨୪ ଘଣ୍ଟା ମଧ୍ୟରେ ଏନକାଉଣ୍ଟରରେ ନିହତ ହେବା ଘଟଣା ଯେତେ‌ ଚାଞ୍ଚଲ୍ୟ ସୃଷ୍ଟି କରିଛି ତାଠାରୁ ଅଧିକ ବିବାଦୀୟ ହୋଇପଡ଼ିଛି। ସେ ଫେରାର ହେବାକୁ ଉଦ୍ୟମ କରୁଥିଲା ଏବଂ ପୁଲିସ ଉପରକୁ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟରରେ ସେ ନିହତ ହୋଇଥିବା ପୋଲିସ ସଫେଇ ‌ଦେଉଥିବା ବେଳେ ବିଭିନ୍ନ ବିରୋଧୀ ଦଳ ଏବଂ ଅନେକ ମାନବିକ ଅଧିକାର ସଂଗଠନ ଏହାକୁ ହତ୍ୟା ବୋଲି ଅଭି‌େଯାଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପୁଲିସ ବିଭାଗ ଏବଂ ରାଜନୈତିକ ନେତାମାନଙ୍କ ସହିତ ଦୁବେର ସଂପର୍କ ପଦାରେ ପଡ଼ିଯିବା ଭୟରେ ଏନକାଉଣ୍ଟର ନାମରେ ତାକୁ ହତ୍ୟା କରାଯାଇଛି। ଏହାକୁ ନେଇ ସେମାନେ ଉଭୟ ପୋଲିସ ଏବଂ ସରକାରଙ୍କୁ ଘେରିବା ସହିତ ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି।

ପୋଲିସର ବୟାନ ଏବଂ ସମଗ୍ର ଘଟଣାକ୍ରମରେ ତାଳମେଳ ରହୁନଥିବାରୁ ଏହି ଏନକାଉଣ୍ଟରଟି ବିବାଦ ଘେରକୁ ଆସିଛି। ବିଶେଷ କରି ଦୁବେକୁ ନିଅ‌ାଯାଉଥିବା ଗାଡ଼ିର ପିଛା କରୁଥିବା ସାମ୍ବାଦିକମାନଙ୍କୁ ପୁଲିସ ‌ଯେପରି ବାଟରେ ଅଟକାଇଲା ଏବଂ ଏହାର କିଛି ସମୟ ପରେ ଏନକାଉଣ୍ଟର ଖବର ଆସିଲା ତାହା ସମଗ୍ର ଘଟଣାକୁ ସନ୍ଦେହ ଘେରକୁ ନେଇ ଆସିଛି।

jagran.com

ପୁଲିସ ପକ୍ଷରୁ କୁହାଯାଇଛି ଯେ ଗତକାଲି ମଧ୍ୟ ପ୍ରଦେଶରେ ଦୁବେକୁ ଗିରଫ କରାଯିବା ପରେ ଆଜି ଉଜ୍ଜୟିନୀରୁ କାନପୁର ନିଆଯାଉଥିଲା। ସ୍ବତନ୍ତ୍ର ପୋଲିସ ଟିମ୍ ବା ଏସ୍‌ଟିଏଫ୍ ତାକୁ ଆଣୁଥିବାବେଳେ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ଓଲଟି ପଡ଼ିବା ମାତ୍ରେ ଦୁବେ ଜଣେ ପୁଲିସ କର୍ମୀଙ୍କ ପିସ୍ତଲ୍‌ ଛଡ଼ାଇ ଗୁଳି ଚଳାଇବା ସହ ଦୌଡ଼ିବା ଆରମ୍ଭ କରିଥିଲା। ଦୁବେର ଗୁଳିମାଡ଼ରେ ୨ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ବେଳେ ଆଉ ୨ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି। ଆତ୍ମରକ୍ଷା ପାଇଁ ସୁରକ୍ଷାକର୍ମୀ ଗୁଳି ଚାଳନା କରିଥିଲେ। ଦୁବେର ଛାତି, କାନ୍ଧ ଏବଂ ଅଣ୍ଟାରେ ୪ଟି ଗୁଳି ବାଜିଥିଲା ଏବଂ ସେ ଗୁରୁତର ଆହତ ହୋଇଥିଲା। ପୁଲିସ ବାହିନୀ ଦୁବେକୁ କାନପୁରର ହେଲଟ୍‌ ହସ୍ପିଟାଲ୍‌ ନେଇଥିଲେ। ଏବଂ ସେଠାରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ। ଦୁବେକୁ ଯେଉଁ କାର୍‌ରେ ନିଆଯାଉଥିଲା ତାହା କାନପୁର ଟୋଲ୍‌ ପ୍ଲାଜାଠାରୁ ୨୫ କିମି ଦୂରରେ ପ୍ରବଳ ବର୍ଷା ଏବଂ ଗୋରୁପଲଙ୍କ ଯୋଗୁଁ ଦୁର୍ଘଟଣାର ଶିକାର ହୋଇଥିଲା। ଗାଡ଼ି ସାମ୍ନାକୁ ଗୋରୁ ପଲ ଚାଲିଆସିବାରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଏବଂ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି ପୋଲିସ ସଫେଇ ଦେଇଛି।

କିନ୍ତୁ ବିରୋଧୀମାନେ କହିଛନ୍ତି ଯେ ପୋଲିସ ବିବୃତିରେ ଅନେକ ପ୍ରଶ୍ନର ଉତ୍ତର ନାହିଁ। କୁହାଯାଉଛି ଯେ ଯେଉଁ କାରରେ ଦୁବେକୁ ନିଆଯାଇଥିଲା ତାହାର ନମ୍ବର ଟୋଲ ପ୍ଲାଜା କ୍ୟାମେରାରେ ରେକର୍ଡ ରହିଛି। କିନ୍ତୁ ଯେଉଁ କାରଟି ଓଲଟିଛି ତାହାର ନମ୍ବର ଅଲଗା। ଦୁବେ କାର ପଛରେ ଯାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ବାଟରେ ଅଟକାଇଥିଲା। ଏହାର ଦୁଇ କିଲୋମିଟର ପରେ‌ ଏନକାଉଣ୍ଟର ହୋଇଥିଲା। ସେମାନେ ଆହୁରି ପ୍ରଶ୍ନ କରିଛନ୍ତି ଯେ ଯେଉଁ ଦୁର୍ଦାନ୍ତ ଅପରାଧୀ ନା‌ମରେ ୬୦ଟି ଫୌଜଦାରୀ ମାମଲା ରହିଛି ତାହାକୁ ପୁଲିସ ବିନା ହ୍ୟାଣ୍ଡକଫରେ କାହିଁକି ନେଉଥିଲା।

ସୂଚନାଯୋଗ୍ୟ ଯେ ଗତକାଲି ସକାଳେ ଉଜ୍ଜୟିନୀର ମନ୍ଦିରରୁ ଦୁବେକୁ ପୁଲିସ ଗିରଫ କରିଥିଲା। ୭ ଦିନର ବ୍ୟାପକ ଚଢ଼ଉ ଅଭିଯାନ ପରେ ମଧ୍ୟପ୍ରଦେଶ ପୁଲିସ ତାକୁ ଗିରଫ କରିବାରେ ସମର୍ଥ ହୋଇଥିଲା। ଏହାପରେ ମଧ୍ୟପ୍ରଦେଶ ପୁଲିସ ତାକୁ କିଛି ଘଣ୍ଟା ଜେରା କରିବାପରେ ଉଜ୍ଜୟିନୀ କୋର୍ଟରେ ହାଜର କରିଥିଲା । ସନ୍ଧ୍ୟାରେ ୟୁପି ଏସ୍‌ଟିଏଫ୍‌ର ଏକ ଟିମ୍‌ କଡ଼ା ସୁରକ୍ଷା ଭିତରେ ଦୁବେକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ସେଠାରୁ ତାକୁ ଏକ କାର୍‌ରେ ଉତ୍ତରପ୍ରଦେଶର କାନପୁରକୁ ଅଣାଯାଉଥିଲା। ବିକାଶ ଦୁବେର ଅନ୍ୟ ୫ ଜଣ ଘନିଷ୍ଠ ସହଯୋଗୀ ଇତିମଧ୍ୟରେ ପୁଲିସ ଗୁଳିରେ ନିହତ ହୋଇଛନ୍ତି ଏବଂ ଅନ୍ୟ ୨ ଜଣ ସହଯୋଗୀ ଦୟାଶଙ୍କର ପଲ୍ଲୁ ଏବଂ ଶ୍ୟାମୁ ବାଜପେୟୀକୁ ପୁଲିସ ଗିରଫ କରିଛି। କାନପୁରର ୨ ଜଣ ପୁଲିସ ଅଫିସରଙ୍କ ସମେତ ୮ ଜଣ ପୁଲିସ କର୍ମୀଙ୍କ ହତ୍ୟା ମାମଲାରେ ବିକାଶ ସମେତ ୧୮ ଜଣଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଥିଲା। ତଦନ୍ତରେ ଆଉ ୧୫ ଜଣଙ୍କ ନାମ ପରେ ଏଥିରେ ସାମିଲ୍‌‌ ହୋଇଥିଲା। ବିକାଶ ଦୁବେକୁ ଧରାଇ ଦେବାପାଇଁ ୟୁପି ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

୮ ଦିନର ଘଟଣାକ୍ରମ
୩ ଜୁଲାଇ: କାନପୁର‌େରେ ବିକାଶ ଦୁବେ ଗୁଳିମାଡ଼ରେ ୮ ପୋଲିସ କର୍ମଚାରୀଙ୍କ ମୃତ୍ୟୁ
୪ ଜୁଲାଇ: ବିକାଶକୁ ଧରିବ‌ା ଲାଗି ୮ଟି ସ୍ବତନ୍ତ୍ର ପୋଲିସ ଟିମ୍‌ର ଅଭିଯାନ
୫ ଜୁଲାଇ: ବିକାଶକୁ ଧରାଇ ଦେବା ଲାଗି ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା
୯ ଜୁଲାଇ: ମଧ୍ୟ ପ୍ରଦେଶର ଉଜ୍ଜୟିନୀ ମନ୍ଦିର ନିକଟରେ ଧରାପଡ଼ିଲା
୧୦ ଜୁଲାଇ: କାନପୁର ନିକଟରେ ଏନକାଉଣ୍ଟରରେ ନିହତ

ସମ୍ବନ୍ଧିତ ଖବର