ବିକାଶ ଦୁବେ ମାସକୁ ୧ କୋଟି ରୋଜଗାର କରୁଥିଲା

ଲକ୍ଷ୍ନୌ: କୁଖ୍ୟାତ ଅପରାଧୀ ବିକାଶ ଦୁବେ ମାସକୁ ୧ କୋଟି ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଦୁବେ ଅତ୍ୟନ୍ତ ସାଧାରଣ ଜୀବନ ଅତିବାହିତ କରୁଥିଲା। ସେ କୌଣସି ବିଶାଳପୂର୍ଣ୍ଣ ଜୀବନଶୈଳୀ ଅତିବାହିତ କରୁନଥିଲା। ଦୁବେର ସମ୍ପତ୍ତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଦୁବେର ସମ୍ପତ୍ତି ଆକଳନ କରିବା ଇଡି ପାଇଁ କଷ୍ଟଦାୟକ ହୋଇଛି। ମିଳିଥିବା ସୂଚନାନୁଯାୟୀ, ଦୁବେ ଅତି ସାଧାରଣ ପୋଷାକ ପିନ୍ଧୁଥିଲା ଏବଂ ତା’ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ମଧ୍ୟ ସେତେ ଟଙ୍କା ନଥିଲା। ଇଡି ଏବେ ଦୁବେ ଏବଂ ତା’ ଘନିଷ୍ଠ ସହଯୋଗୀମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଏବଂ ଅନ୍ୟାନ୍ୟ କାରବାର ଯାଞ୍ଚ କରୁଛି। ଇଡି ସୂଚନାନୁଯାୟୀ ଦୁବେ ମାସକୁ ପ୍ରାୟ ୧ କୋଟି ରୋଜଗାର କରୁଥିଲା କିନ୍ତୁ ସେ ବିଦେଶ ଗସ୍ତରେ ଖର୍ଚ୍ଚ କରୁନଥିଲା କି ମୂଲ୍ୟବାନ୍‌ ସାମଗ୍ରୀ ମଧ୍ୟ କିଣୁନଥିଲା। ଦୁବେର ପାଣ୍ଠିକୁ କେଉଁମାନେ ପରିଚାଳନା କରୁଥିଲେ ସେନେଇ ତଦନ୍ତ ଆରମ୍ଭ ହୋଇଯାଇଛି।

ଦୁବେର ପାଣ୍ଠିକୁ ଅତ୍ୟନ୍ତ ଚତୁରତାର ସହ ବିନିଯୋଗ କରିବାପାଇଁ ଏକ ବଡ଼ ନେଟ୍‌ୱର୍କ କାମ କରୁଥିଲା। ଉଲ୍ଲେଖଯୋଗ୍ୟ ବିକାଶ ଦୁବେ କାନପୁର ଗୁଳିକାଣ୍ଡ ଘଟଣାର ମାଷ୍ଟରମାଇଣ୍ଡ୍‌ । ସେ ଏବଂ ତା’ର ସହଯୋଗୀମାନେ ପୁଲିସକୁ ଗୁଳି ଚାଳନା କରି ହତ୍ୟା କରିଥିଲେ। ଦୁବେକୁ ଧରିବାପାଇଁ ସ୍ପେସାଲ୍‌ ଟାସ୍କ ଫୋର୍ସ୍‌ ଗଠନ ହୋଇଥିଲା। ତେବେ ମଧ୍ୟପ୍ରଦେଶର ଉଜ୍ଜୟିନୀ ସ୍ଥିତ ମହାକାଳ ମନ୍ଦିରରୁ ଦୁବେ ଗିରଫ ହୋଇଥିଲା। ତାକୁ ପରେ କାନପୁର ପୁଲିସକୁ ହସ୍ତାନ୍ତର କରାଯାଇଥିଲା। ମଧ୍ୟପ୍ରଦେଶରୁ କାନପୁର ଫେରୁଥିବାବେଳେ ଦୁବେ ବସିଥିବା ଗାଡ଼ିଟି ବାଟରେ କାନପୁର ଠାରୁ କିଛି ଦୂରରେ ପଲଟି ଯାଇଥିଲା। ଏହାର ସୁଯୋଗ ନେଇ ଦୁବେ ଖସି ପଳାଇବାକୁ ଚେଷ୍ଟା କରି ପୁଲିସ ଗୁଳିରେ ନିହତ ହୋଇଥିଲା।

ସମ୍ବନ୍ଧିତ ଖବର