ବିକାଶ ଦୁବେର ଡାହାଣ ହାତ ଗୁଡ୍ଡନ ତ୍ରିବେଦୀ ଗିରଫ

ମୁମ୍ବାଇ : କାନପୁରର କୁଖ୍ୟାତ ଡନ ବିକାଶ ଦୁବେ ପୁଲିସ ଗୁଳିରେ ନିହତ ହେବା ପରେ ତାହାର ଡାହାଣ ହାତ କୁହାଯାଉଥିବା ଅରବିନ୍ଦ ତ୍ରିବେଦୀ ଓରଫ ଗୁଡ୍ଡନକୁ ଆଜି ମହାରାଷ୍ଟ୍ରର ଥାନେରୁ ଗିରଫ କରାଯାଇଛି । ତାକୁ ମହାରାଷ୍ଟ୍ର ପୁଲିସ ଗିରଫ କରି ୟୁପି ପୁଲିସକୁ ହସ୍ତାନ୍ତର କରିଛି । ତାକୁ ସଡ଼କ ପଥରେ ଉତ୍ତରପ୍ରଦେଶ ଅଣାଯାଉଛି ।

ସେ ମୁମ୍ବାଇ ନିକଟସ୍ଥ ଥାନେ ଅଞ୍ଚଳରେ ଲୁଚିଥିବା ମୁମ୍ବାଇର ଜୁହୁ ପୁଲିସ ଜାଣିବା ପରେ ସେଠାରେ ଚଢାଉ କରାଯାଇଥିଲା । ସେଠାରୁ ଗୁଡ୍ଡନ ଓ ତାହାର ଡ୍ରାଇଭର ସୋନୁ ତିୱାରିକୁ ମଧ୍ୟ ଗିରଫ କରାଯାଇଛି । କାନପୁରରେ ପୁଲିସ ଉପରେ ଆକ୍ରମଣ ପରେ ସେ ସଡ଼କ ପଥରେ ମୁମ୍ବାଇ ପଳାଇଆସିଥିବା ପୁଲିସ ଜାଣିବାକୁ ପାଇଛି ।

ବିକାଶ ଦୁବେର କଳା ସାମ୍ରାଜ୍ୟରେ ଗୁଡ୍ଡନର ସ୍ଥାନ ୨ୟ ନମ୍ବର ଥିବା କୁହାଯାଉଛି । ଗତ ସପ୍ତାହରେ ପୁଲିସ ଉପରେ ହୋଇଥିବା ଆକ୍ରମଣ ପଛରେ ଏହି ଗୁଡ୍ଡନ ମଧ୍ୟ ସମ୍ପୃକ୍ତ  ଥିବା ପୁଲିସ ଜାଣିପାରିଛି । ବିକାଶ ସହ ମିଶି ସେ ଅନେକ ଅପରାଧ, ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ଏପରିକି ସେ ୨୦୦୧ରେ ହୋଇଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସନ୍ତୋସ ଶୁକ୍ଳାଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ ଥିଲା । ମନ୍ତ୍ରୀ ଶୁକ୍ଳାଙ୍କୁ ଏକ ପୁଲିସ ଷ୍ଟେସନ ମଧ୍ୟରେ ମାରିଦିଆଯାଇଥିଲା ।

ଗତକାଲି ଉତ୍ତରପ୍ରଦେଶ ପୁଲିସ ଏନକାଉଣ୍ଟର କରି ବିକାଶ ଦୁବେକୁ ମାରିଦେଇଥିଲା । ବିରୋଧୀ ଦଳ ଓ ବିଭିନ୍ନ ସାମାଜିକ ସଂଗଠନ ଏହି ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ସମ୍ବନ୍ଧିତ ଖବର