କାରଗିଲ୍‌ ଯୁଦ୍ଧରେ ସାଥୀ ଯବାନଙ୍କୁ ‘ତୁ ପଛକୁ ହଟ, ତୋର ପିଲାଛୁଆ ଅଛନ୍ତି’ କହି ଶତ୍ରୁଙ୍କ ଗୁଳି ଖାଇବା ପାଇଁ ଛାତି ଦେଖାଇ ଦେଇଥିଲେ କ୍ୟାପଟେନ୍‌ ବିକ୍ରମ ବାତ୍ରା

ନୂଆଦିଲ୍ଲୀ: କାରଗିଲ୍‌ ଯୁଦ୍ଧକୁ ଯିବା ପୂର୍ବରୁ କ୍ୟାପଟେନ୍‌ ବିକ୍ରମ ବାତ୍ରା କହିଥିଲେ, ମୁଁ ବିଜୟୀ ହୋଇ ଭାରତ ପତାକା ଉଡାଇ ଆସିବି, ନଚେତ ଗୁଡାଇ ହୋଇ। କିନ୍ତୁ ଏହା ତ ନିଶ୍ଚିତ ମୁଁ ଆସିବି । ୧୯୯୯ ମସିହା ଜୁଲାଇ ୯ ତାରିଖରେ କ୍ୟାପଟେନ୍‌ ବିକ୍ରମ ବାତ୍ରା ନିଜ ଜନ୍ମ ମାଟିକୁ ଫେରିଥିଲେ ସତ କିନ୍ତୁ ଦେଶପାଇଁ ନିଜ ଜୀବନକୁ ବଳି ଦେଇ ସହିଦ ହୋଇଯାଇଥିଲେ।

୧୯୯୯ ମସିହା ଜୁଲାଇ ୭ ତାରିଖ…. କାରଗିଲ୍‌ର ୧୬,୦୦୦ ଫୁଟ ଉଚ୍ଚରେ ଶତ୍ରୁ ସହିତ ଲଢ଼ୁଥିବା ସମୟରେ ବିକ୍ରମ ବାତ୍ରା ଦେଶପାଇଁ ୨୪ବର୍ଷ ବୟସରେ ସହିଦ ହୋଇ ଯାଇଥିଲେ। ଆଜି ତାଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ।

ଶତ୍ରୁଙ୍କ ମଧ୍ୟରେ ସେର ଶାହ ନାମରେ ପରିଚିତ କ୍ୟାପଟେନ୍‌ ବାତ୍ରା ସେହି ରାତିରେ ଅସୁସ୍ଥ ଥିଲେ, ଏହା ସତ୍ତ୍ୱେ ବି ସେ ନିଜ କନିଷ୍ଠ ସାଥୀଙ୍କୁ ପଛକୁ ହଟାଇ ଶତ୍ରୁଙ୍କ ସହିତ ଲଢ଼ିଥିଲେ। ତେବେ ଏହି ମିସନ୍‌ ପାଖାପାଖି ଶେଷ ହୋଇ ଆସୁଥିଲା, କିନ୍ତୁ ତାଙ୍କର ଜଣେ କନିଷ୍ଠ ସାଥୀ ସୁବେଦାର ବିସ୍ଫୋରଣରେ ଗୁରୁତର ହୋଇଥିଲେ। ତାଙ୍କ ଗୋଡରେ ଆଘାତ ଲାଗିଥିଲା। ସେ ବିକ୍ରମଙ୍କୁ ଆଗକୁ ଯିବାକୁ କହି ନଥିଲେ। କିନ୍ତୁ ବିକ୍ରମ ବାତ୍ରା ସାଥୀଙ୍କ ଏପରି ଅବସ୍ଥା ଦେଖି ତାଙ୍କୁ ପଛକୁ ହଟାଇ କହିଥିଲେ କି, ‘ତୋର ପିଲା ଛୁଆ ସଂସାର ଅଛି ତୁ ପଛକୁ ହଟି ଯା, ମୋତେ ଆଗକୁ ବଢ଼ିବାକୁ ଦେ।’ ଏହା ପରେ ବିକ୍ରମ ଯୁବା କ୍ୟାପଟେନ୍‌ଙ୍କୁ ବଞ୍ଚାଇବାକୁ ଆଗକୁ ବଢ଼ି ଥିଲେ।

ଏହି ସମୟରେ ଶତ୍ରୁର ଗୁଳି ବିକ୍ରମଙ୍କ ଛାତିରେ ବାଜି ଥିଲା। ସେହିଠାରେ ହିଁ ବିକ୍ରମ ଜୀବନ ଯୁଦ୍ଧରେ ହାରିଯାଇ ଟଳି ପଡ଼ିଥିଲେ। ତାଙ୍କ ସହଯୋଗୀ ଲେଫଟାଣ୍ଟ ଅନୁଜ ନାୟାର ବି ଏହି ଯୁଦ୍ଧରେ ବାତ୍ରାଙ୍କ ପରେ ଦେଶ ପାଇଁ ସହିଦ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର