ମୃତ୍ୟୁ ସମ୍ବାଦ ଖଣ୍ଡନ କଲେ ପରିବାର; ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ‘ଲାଇଫ୍‌ ସପୋର୍ଟ’ରେ ଅଛନ୍ତି ଅଭିନେତା ବିକ୍ରମ ଗୋଖ୍‌ଲେ

ନୂଆଦିଲ୍ଲୀ: ଅଭିନେତା ବିକ୍ରମ୍‌ ଗୋଖ୍‌ଲେଙ୍କର ମୃତ୍ୟୁ ହୋଇନାହିଁ, ଏବେ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିବା କଥା ଏବେ ତାଙ୍କ ପରିବାର ଲୋକେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ପାହାନ୍ତା ପୂର୍ବରୁ ବରିଷ୍ଠ ବଲିଉଡ୍‌, ମରାଠୀ ମଞ୍ଚ, ଚଳଚ୍ଚିତ୍ର ଓ  ଟେଲିଭିଜନ୍‌ ଅଭିନେତା ବିକ୍ରମ୍‌ ଗୋଖ୍‌ଲେଙ୍କର ମୃତ୍ୟୁ ଘଟିଥିବା କଥା ‘ଅନ୍‌ଲାଇନ୍‌’ରେ ପ୍ରସାରିତ ହୋଇଥିଲା। ଅଜୟ ଦେବଗନ, ରିତେଶ ଦେଶମୁଖ, ଅଲି ଗନି, ଜାୱେଦ୍‌ ଜାଫେରିଙ୍କ ସମେତ କେତେକ ବଲିଉଡ୍‌ ସେଲି‌ବ୍ରିଟି ମଧ୍ୟ ତାଙ୍କ ମୃତ୍ୟୁ ହୋଇଥିବା ଖବର ଶୁଣି ଟୁଇଟର୍‌ରେ ଶୋକବ୍ୟକ୍ତ କରିଥିଲେ।

କିନ୍ତୁ, କିଛି ସମୟ ପରେ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ଏବଂ ‘ପିଟିଆଇ’ ରିପୋର୍ଟ କଲେ ଯେ, ଅଭିନେତା ବିକ୍ରମ ଗୋଖ୍‌ଲେ ବଞ୍ଚିଛନ୍ତି। ୭୭ ବର୍ଷିୟ ବରିଷ୍ଠ ଅଭିନେତା ବିକ୍ରମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ‘ଲାଇଫ୍‌ ସପୋର୍ଟ’ରେ ରଖାଯାଇଛି।

Image Courtesy of Filmibeat

ତାଙ୍କ ଝିଅ କହିଛନ୍ତି, ତାଙ୍କର ମୃତ୍ୟୁ ଘଟିନାହିଁ, ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ‘ଲାଇଫ୍‌ ସପୋର୍ଟ’ରେ ରଖାଯାଇଛି।

ସୂଚନାଯୋଗ୍ୟ, ତାଙ୍କର ଅସୁସ୍ଥତା ବିଷୟରେ ସବିଶେଷ ବିବରଣ ମିଳିନାହିଁ। ତାଙ୍କ ପରିବାର ଅଥବା ଡାକ୍ତରଖାନା ମଧ୍ୟ ଏଯାବତ୍‌ ତାଙ୍କ ସ୍ବାସ୍ଥାବସ୍ଥା ବିଷୟରେ କୌଣସି ଔପଚାରିକ ବିବୃତି ଜାରି କରିନାହାନ୍ତି।

ପ୍ରଖ୍ୟାତ ମରାଠୀ ଥିଏଟର୍‌ ଓ ଚଳଚ୍ଚିତ୍ର ଅଭିନେତା ଚନ୍ଦ୍ରକାନ୍ତ ଗୋଖ୍‌ଲେଙ୍କ ପୁଅ ବିକ୍ରମଙ୍କ ଜନପ୍ରିୟ ବଲିଉଡ୍‌ ଚଳଚ୍ଚିତ୍ରଗୁଡ଼ିକରେ ରହିଛି ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ (୧୯୯୯), ‘ହେ ରାମ୍‌’ (୨୦୦୧), ‘ଭୁଲ୍‌ ଭୁଲୈୟା’ (୨୦୦୭) ଏବଂ ‘ଦେ ଦନା ଦନ୍‌’ (୨୦୦୯) ଏବଂ ଆହୁରି ଅନେକ ଚଳଚ୍ଚିତ୍ର।

୨୦୧୦ରେ ମରାଠୀ ଚଳଚ୍ଚିତ୍ର ‘ଆଘାତ’ର ନିର୍ଦେଶନା ଦେଇଥିଲେ। ମରାଠୀ ଚଳଚ୍ଚିତ୍ର ‘ଅନୁମତି’ରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ‘ଜାତୀୟ ଚଳଚ୍ଚିତ୍ର ସମ୍ମାନ’ ମିଳିଥିଲା। ଥିଏଟର୍‌ରେ ଅଭିନୟ ପାଇଁ ୨୦୧୧ରେ ତାଙ୍କୁ ‘ସଙ୍ଗୀତ ନାଟକ ଅକାଦେମୀ’ ପୁରସ୍କାର ମଧ୍ୟ ମିଳିଥିଲା।

ସମ୍ବନ୍ଧିତ ଖବର