ଯମୁନାରେ ଭାସିଆସୁଛି ମୃତଦେହ, ଶବ ଭସାଇଦେଉଛନ୍ତି ଗ୍ରାମବାସୀ

ଲଖନଉ: ଶୁକ୍ରବାର ଅପରାହ୍ନ, ଯମୁନା ନଦୀରେ ଭାସିଆସୁଥାଏ ଗୋଟିଏ ପରେ ଗୋଟିଏ ମୃତଦେହ | ଉତ୍ତରପ୍ରଦେଶର ହମିରପୁରରେ ନଦୀ କୂଳରେ ରହୁଥିବା ଲୋକ ଏଭଳି ଦୃଶ୍ୟ ଦେଖି ଭୟଭୀତ ହୋଇଗଲେ, ଆଉ ପୁଲିସକୁ ଖବର ଦେଲେ | ଘଟଣାସ୍ଥଳରେ ପୁଲିସ ପହଂଚି ଯେତେବେଳେ ଅନୁସନ୍ଧାନ କଲା ପୁଲିସ ବି ଆଶ୍ଚର୍ଯ୍ୟ ହୋଇଗଲା | ଅନୁସନ୍ଧାନରୁ ଜଣାପଡିଛି ଯେ କାନପୁର ଓ ହମିରପୁର ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଯାଉଥିବାବେଳେ ମୃତକଙ୍କ ସମ୍ପର୍କୀୟ ଶବର ଅନ୍ତିମ ସଂସ୍କାର ନ କରି ତାହାକୁ ନଦୀରେ ଭସାଇଦେଉଛନ୍ତି |

ଏହି ଘଟଣାକୁ ନେଇ ପୁଲିସର କହିବା କଥା ଯେ ନଦୀରେ ବହୁ ସଂଖ୍ୟାରେ ମୃତଦେହ ଭାସିଆସୁଥିବାର ଦେଖିବାକୁ ମିଳିଛି | ତେବେ ଯମୁନା ନଦୀକୁ ମୋକ୍ଷଦାୟିନୀ ନଦୀ ଭାବେ ସ୍ଥାନୀୟ ଲୋକ ବିବେଚନା କରୁଥିବାରୁ ନଦୀରେ ଶବ ଭସାଇ ଦେଉଛନ୍ତି | ପୂର୍ବରୁ କେବେ କେବେ ଗୋଟିଏ କି ଦୁଇଟି ଶବ ଭାସୁଥିବାର ଦେଖାଯାଉଥିବାବେଳେ ଏବେ ବହୁ ସଂଖ୍ୟାରେ ଶବ ଭାସିଆସୁଥିବାର ଲୋକ କହିଛନ୍ତି |

ତେବେ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ କହିବା କଥା ଯେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ କରୋନାର ପ୍ରକୋପ ବଢିଚାଲିଛି, ଆଉ ଅନେକଙ୍କର ମୃତ୍ୟୁ ହେଉଥିବାରୁ ଲୋକ ଅନ୍ତିମ ସଂସ୍କାର ନ କରି ନଦୀରେ ଭସାଇଦେଉଛନ୍ତି |

ସମ୍ବନ୍ଧିତ ଖବର