ପ୍ରୋଜେକ୍ଟ ଚିତା ଟିମ୍‌ ଉପରେ ଗ୍ରାମବାସୀଙ୍କ ଆକ୍ରମଣ

ଭୋପାଳ  : ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାରେ ଶୁକ୍ରବାର ଦିନ କୁନୋ ଜାତୀୟ ଉଦ୍ୟାନର ଏକ ଟିମ୍‌ ଉପରେ ଆକ୍ରମଣ ହୋଇଛି। ଗତ କିଛି ଦିନ ତଳେ ଚିତା ଆଶା ଜାତୀୟ ଉଦ୍ୟାନର ସୁରକ୍ଷିତ ଅଞ୍ଚଳରୁ ଖସି ଯାଇଥିଲା। ଏହି ଚିତାକୁ ଖୋଜିବାପାଇଁ ଏକ ଟିମ୍‌ ଗଠନ ହୋଇଥିଲା। ଉକ୍ତ ଟିମ୍‌ ବୁରାଖେଡ଼ା ଗ୍ରାମରେ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମବାସୀମାନେ ସେମାନଙ୍କୁ ଭୁଲ୍‌ବଶତଃ ଡକାୟତ ‌ଭାବି ସେମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଗ୍ରାମବାସୀ ମଧ୍ୟ ଚିତା ଟିମ୍‌ର ସଦସ୍ୟଙ୍କ ଉପରକୁ ପଥର ମାଡ଼ କରିଛନ୍ତି। ଫଳରେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନେ ପୋହରି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଟିମ୍‌ର ସଦସ୍ୟମାନେ ସେମାନଙ୍କ ଗାଡ଼ିରେ ବିଭିନ୍ନ ଗାଁ ବୁଲୁଥିବାବେଳେ ଲୋକମାନେ ସେମାନଙ୍କୁ ଡକାୟତ ବୋଲି ସନ୍ଦେହ କରିଥିଲେ ଏବଂ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ।

୬ ଚିତାଙ୍କ ମୃତ୍ୟୁ ପରେ ଉଚ୍ଚସ୍ତରୀୟ କମିଟି ଗଠନ ହେଲା
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୬ ଚିତାଙ୍କ ମୃତ୍ୟୁ ହେବାପରେ ସରକାରଙ୍କ ନିଦ ଭାଙ୍ଗିଛି। ଚିତା ପ୍ରକଳ୍ପର ସମୀକ୍ଷା ଏବଂ ଯାଞ୍ଚ କରିବାପାଇଁ କେନ୍ଦ୍ର ସରକାର ୧୧ ସଦସ୍ୟ ବିଶିଷ୍ଟ ଏକ ଉଚ୍ଚସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରିଛନ୍ତି। ଗ୍ଲୋବାଲ ଟାଇଗର ଫୋରମ୍‌ର ମହାନିର୍ଦ୍ଦେଶକ ରାଜେଶ ଗୋପାଳ ଏହି କମିଟିର ମୁଖ୍ୟ ରହିବେ। ଉଲ୍ଲେଖଯୋଗ୍ୟ, କୁନୋ ଜାତୀୟ ଉଦ୍ୟାନରେ ଗତକାଲି ୨ ଚିତା ଶାବକଙ୍କ ମୃତ୍ୟୁ ହେବାପରେ ସରକାର ଆଜି ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର