ଲକ୍‌ଡାଉନ୍ ପ୍ରଭାବ: ପେଟ କାଟୁଛନ୍ତି ଲୋକେ, ଖାଇବା କମାଇ‌ଲେ ୫୦% ଗ୍ରାମବାସୀ

ନୂଆଦିଲ୍ଲୀ : କୋଭିଡ୍‌-୧୯ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ନିଜର ଖାଇବା କମାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଦେଶର ୧୨ଟି ରାଜ୍ୟର ୪୭ଟି ଜିଲ୍ଲାରେ ବାସ କରୁଥିବା ୫୦୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ନେଇ ଏହି ସର୍ଭେ କରାଯାଇଛି। ବିଭିନ୍ନ ନାଗରିକ ସଂଗଠନ ପକ୍ଷରୁ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛିଯେ, ଲକ୍‌ଡାଉନ୍ ଘୋଷଣା ହେବା ପରେ ପରିବାରଗୁଡ଼ିକରେ ଖାଇବା ସାମଗ୍ରୀ ହ୍ରାସ ପାଇଛି। ସେମାନେ ପୂର୍ବାପେକ୍ଷା କମ୍ ଭୋଜନ କରୁଛନ୍ତି। ପ୍ରାୟ ୬୮ ପ୍ରତିଶତ ପରିବାର ନିଜ ଖାଇବା ଥାଳିରେ ଖାଦ୍ୟ ପରିମାଣ କମ୍ କରିଛନ୍ତି। ପୂର୍ବରୁ ଯେତିକି ପ୍ରକାର ଖାଦ୍ୟ ଖାଉଥିଲେ ତାହା ମଧ୍ୟ ହ୍ରାସ ପାଇଛି।

ଦେଶରେ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍ ଗତ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇ ଏପ୍ରିଲ୍‌ ୧୪ ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ତାହାକୁ ବିଭିନ୍ନ ପର୍ଯ୍ୟାୟରେ ମେ’ ୩ ଓ ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ପ୍ରାୟ ୮୪ ପ୍ରତିଶତ ପରିବାରଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ମିଳିଛି। ୩୭ ପ୍ରତିଶତ ପରିବାର ଘରକୁ ରାସନ ସାମଗ୍ରୀ ନେଇଛନ୍ତି। ପ୍ରାୟ ୧୨ ପ୍ରତିଶତ ଗ୍ରାମୀଣ ଲୋକଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ମିଳିଥିବା ବେଳେ ୨୪ ପ୍ରତିଶତ ପରିବାର ଧାର ସୂତ୍ରରେ ଖାଦ୍ୟଶସ୍ୟ ଆଣିଛନ୍ତି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନେ ରବି ଫସଲ ତୁଳନାରେ ଖରିଫ ଫସଲ ଉପରେ ଅଧିକ ନିର୍ଭରଶୀଳ। କିନ୍ତୁ ସେମାନଙ୍କ ଭଣ୍ଡାରରୁ ଖାଦ୍ୟ ସାମଗ୍ରୀ ଦ୍ରୁତ ଗତିରେ ଶେଷ ହେଉଛି। ତେଣୁ ଲୋକମାନେ ଜାଣିଶୁଣି ଖାଇବା କମାଇ ଦେଇଛନ୍ତି।

ଏହି ସର୍ଭେ ଓଡ଼ିଶା ସମେତ ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ କରାଯାଇଥିଲା। ଏଥିରେ ଭାଗ ନେଇଥିବା ଏକ ତୃତୀୟାଂଶ ପରିବାରର ଉତ୍ତର ଥିଲା ଯେ ସ୍କୁଲରୁ ପିଲାମାନଙ୍କ ପାଠପଢ଼ା ବନ୍ଦ କରିବା ଉପରେ ସେମାନେ ବିଚାର କରୁଛନ୍ତି। ଦେଶରେ କରୋନା ସଙ୍କଟ ମୁକାବିଲା ଲାଗି ଘୋଷଣା କରାଯାଇଥିବା ‌ଲକ୍‌ଡାଉନ୍ ଲୋକମାନଙ୍କ ଜୀବିକାକୁ ଗୁରୁତର ଭାବେ ପ୍ରଭାବିତ କରିଛି। ଦୁଗ୍ଧ ଓ ମତ୍ସ୍ୟ ଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର