ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ନଦୀକୁ ଡେଇଁପଡିଲେ ଗ୍ରାମବାସୀ, ବୁଝାସୁଝା ପରେ ୧୫୦୦ରୁ ମାତ୍ର ୧୪ଜଣ ନେଲେ ଟିକା

ବାରବାଙ୍କୀ(ଉତ୍ତରପ୍ରଦେଶ): କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରମ ଓ ଭୟ ଦେଖିବାକୁ ମିଳୁଛି । ବିଶେଷ କରି ଏହା ଗ୍ରାମୀଣ ଅଞ୍ଚଳରେ ରହୁଥିବା ଲୋକମାନଙ୍କଠାରେ ଅଧିକ ଦେଖିବାକୁ ମିଳିଛି । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରବାଙ୍କୀ ଜିଲ୍ଲାରେ । ଜିଲ୍ଲାର ସିସୋଡା ଗ୍ରାମରେ ଟିକା ଦେବାକୁ ଆସିଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଦେଖି ଗ୍ରାମବାସୀମାନେ ନଦୀକୁ ଡେଇଁପଡିଥିବା ଜଣାପଡିଛି ।

ତେବେ ଲୋକମାନେ ହଠାତ ଏଭଳି କରିବା ଦେଖି ଟିକାଦେବାକୁ ଆସିଥିବା କର୍ମୀମାନେ ଭୟଭୀତ ହୋଇଯାଇଥିଲେ । ଗ୍ରାମବାସୀଙ୍କୁ ନଦୀ ଭିତରୁ ବାହାରକୁ ଆସିବାକୁ ଅନୁରୋଧ କରିଥିଲେ ବି ସେମାନେ ମାନି ନଥିଲେ । ଏହାପରେ ଉପ ଜିଲ୍ଲା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଟିକା ନେବାକୁ ରାଜି ହୋଇଥିଲେ ।

livehindustan.com

ଉପ ଜିଲ୍ଲା ଅଧିକାରୀ ରାଜୀବ ଶୁକ୍ଳା ଓ ନୋଡାଲ ଅଧିକାରୀ ରାହୁଲ ତ୍ରିପାଠୀ ଗ୍ରାମବାସୀଙ୍କ ସହ ଦୀର୍ଘ ସମୟ ଧରି କଥା ହୋଇଥିଲେ , ସେମାନଙ୍କୁ ଟିକାର ଉପକାରିତା ବାବଦରେ ବୁଝାଇବା ସହ ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭ୍ରମ ଦୂର କରିବାକୁ ଚେଷ୍ଟା କରିଥିଲେ । ହେଲେ ସେମାନେ ଏସବୁ ବୁଝିନଥିଲେ । ଶେଷରେ ୧୫୦୦ ଗ୍ରାମବାସୀଙ୍କ ମଧ୍ୟରୁ ମାତ୍ର ୧୪ ଜଣ ଲୋକଙ୍କୁ ଟିକା ଦେଇ ଫେରିଥିଲେ ସ୍ୱାସ୍ଥ୍ୟକର୍ମୀ |

ତେବେ କେବଳ ବାରବାଙ୍କୀ ନୁହେଁ ସାରା ଦେଶର ଅନେକ ଲୋକଙ୍କ ମନରେ ଏବେ ଟିକାକୁ ନେଇ ଭ୍ରମ ଓ ଭୟ ଉଭୟ ଦେଖିବାକୁ ମିଳିଛି । ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମିଛ ଖବର ପ୍ରସାରଣ ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି ।

ସମ୍ବନ୍ଧିତ ଖବର