ନୂଆଦିଲ୍ଲୀ: ପାକିସ୍ତାନରୁ ଭାରତକୁ ଫେରିବା ପରେ ପୁଣି ଥରେ ଅଞ୍ଜୁ ସମ୍ବାଦ ଶିରୋନାମାକୁ ଆସିଯାଇଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ ଆସିଛନ୍ତି। ସଂପ୍ରତି ସେ ବିଏସ୍ଏଫ୍ର ଏକ ଶିବିରରେ ଅଛନ୍ତି। ଅଞ୍ଜୁଙ୍କ ପରିବାର ମଧ୍ୟପ୍ରଦେଶର ଗ୍ବାଲିଅରରେ ରହୁଛନ୍ତି। ଜିଲ୍ଲାର ଟେକନପୁର ସ୍ଥିତ ବେନା ଗାଁରେ ଅଞ୍ଜୁଙ୍କ ବାପା ଗୟା ପ୍ରସାଦ ଥୋମସ ବାସ କରନ୍ତି। ଅଞ୍ଜୁଙ୍କ ଘର ବାହୁଡ଼ାକୁ ନେଇ ସେ ଗଣମାଧ୍ୟମ ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ପ୍ରଥମେ ମୁଁ କହିସାରିଛି ଝିଅ ମୋ ପାଇଁ ମରିସାରିଛି।
ଅଞ୍ଜୁ ପାଇଁ ତାଙ୍କ ବାପା ଘରର କବାଟ ବନ୍ଦ କରିସାରିଛନ୍ତି। କାହା ସହିତ ସେ ଏ ନେଇ କଥା ହେବାକୁ ଚାହୁନାହାନ୍ତି। ତେବେ ଗାଁ ଲୋକ ତାଙ୍କ ଘରକୁ ଯାଉଛନ୍ତି। ସେମାନେ କହିଛନ୍ତି ଯେ ଅଞ୍ଜୁ ଯଦି ଏଠାକୁ ଆସିବ ତା’ହେଲେ ଆମେ ତାଙ୍କ ବାପାକୁ ମଧ୍ୟ ଗାଁରୁ ବିଦା କରିଦେବୁ। ଏପରିକି ଅଞ୍ଜୁ ଗାଁରେ ପାଦଦେଲେ ଜୀବନରୁ ମାରିଦେବୁ। କାରଣ ଅଞ୍ଜୁ କେବଳ ନିଜ ପରିବାରକୁ ନୁହେଁ ବରଂ ସେମାନଙ୍କ ଗାଁ ଓ ଭାରତର ନାମକୁ ବଦନାମ କରିଛି।
ଗ୍ରାମର ବାସିନ୍ଦା ଧର୍ମେନ୍ଦ୍ର ଗୁର୍ଜରଙ୍କ କହିବାନୁଯାୟୀ, ‘ଅଞ୍ଜୁ ମୋ ସହିତ ପଢ଼ୁଥିଲା। ଆରମ୍ଭରୁ ସେ ଏଭଳି ଅସୁବିଧା ସୃଷ୍ଟି କରୁଥିଲା। ସେ ପାକିସ୍ତାନରେ ଭାରତର ନାଁ ବଦନାମ କରିଛି। ଏଭଳି ମହିଳା ଭାରତରେ ରହିବାର କୌଣସି ଅଧିକାର ନାହିଁ। ଯଦି ସେ ଗାଁକୁ ଆସିବ ତାହାକୁ ଆମେ ଜୀବନରୁ ମାରିଦେବୁ।’
ଏଭଳି ସ୍ଥିତିରେ ଗାଁର ସରପଞ୍ଚ ରବି ଗୁର୍ଜର କହିଛନ୍ତି, ‘ଅଞ୍ଜୁର ଗାଁକୁ ଆସିବାର କୌଣସି ଆବଶ୍ୟକତା ନାହିଁ।
ଯଦି ସେ ଆସିବ ତା’ହେଲେ ଆମେ ତାକୁ ଆସିବାକୁ ଦେବୁନାହିଁ। ସେ କହିଛନ୍ତି ଅଞ୍ଜୁର ବାପା ଏବେ ଘର ଭିତରେ ଅଛନ୍ତି। ଯେତେବେଳେ ସେ ବାହାରକୁ ଆସିବେ ସେତେବେଳେ ତାଙ୍କୁ ପୂରା ଗ୍ରାମବାସୀ କଥା ହୋଇ ଅଞ୍ଜୁକୁ ଆସିବାକୁ ନଦେବା ପାଇଁ କହିବେ। ଏଥିସହିତ ସ୍ଥାନୀୟ ଥାନାରେ ଅଭିଯୋଗ କରାଯିବା ସହିତ ପୂରା ପରିବାରର ଯାଞ୍ଚ କରିବା ଲାଗି ଆବେଦନ କରାଯିବ। ଗାଁର ବାସିନ୍ଦା ବୀର ସିଂହ କୁହନ୍ତି, ଅଞ୍ଜୁ ବାପା ଘରୁ ବାହାରି ଗଣମାଧ୍ୟମରେ ମୁହଁ ଖୋଲିବା ଆବଶ୍ୟକ। ସେ ଘର ଭିତରେ କାହିଁକି ଲୁଚିଛନ୍ତି। ଅଞ୍ଜୁ ସହିତ ସେ ଲୁଚିଛପି କଥା ହେଉଥିବା ସନ୍ଦେହ ମଧ୍ୟ ହେଉଛି। ତେଣୁ ତାଙ୍କର ମଧ୍ୟ ତଦନ୍ତ ହେବା ଉଚିତ ବୋଲି ସେ କହିଛନ୍ତି।