ବିନୟ କୁମାର ସାକ୍ସେନା ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ : ଖଦି ଓ ଗ୍ରାମଦ୍ୟୋଗ ଆୟୋଗର ଅଧ୍ୟକ୍ଷ ଥିବା ବିନୟ କୁମାର ସାକ୍ସେନାଙ୍କୁ ଦିଲ୍ଲୀର ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଛି । ଗତ ସପ୍ତାହରେ ଅନୀଲ କୁମାର ବୈଜଲଙ୍କ ଇସ୍ତଫା ପରେ ଏହି ପଦ ଖାଲି ରହିଥିଲା ।

ଆଜି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ବୈଜଲଙ୍କ ଇସ୍ତଫା ଗ୍ରହଣ କରାଯାଇଥିବା ଓ ସାକ୍ସେନାଙ୍କୁ ନୂଆ ଉପ-ରାଜ୍ୟପାଳ ନିଯୁକ୍ତ କରାଯାଇଥିବା ଦର୍ଶାଯାଇଛି ।

ସୂଚନାଯୋଗ୍ୟ ଯେ, ଚଳିତ ମାସ ୧୮ରେ ବୈଜଲ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ ସେ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଥିଲେ । କେନ୍ଦ୍ର ସରକାରଙ୍କ ପ୍ରରୋଚନାରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ସେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟିକରୁଥିବା କେଜ୍ରିଓ୍ବାଲ ପୂର୍ବରୁ ଏକାଧିକ ଥର ଅଭିଯୋଗ କରିଥିଲେ ।

କିନ୍ତୁ ଆଜି କେଜ୍ରିଓ୍ବାଲ ଏକ ଟୁଇଟ୍ କରି ଲେଖିଛନ୍ତି ଯେ ବୈଜଲଙ୍କ ସହ ମିଶି ଦିଲ୍ଲୀ ପାଇଁ ବହୁତ କାମ କରାଯାଇଛି ଓ ଦିଲ୍ଲୀର ବହୁ ସମସ୍ୟାର ସମାଧାନ କରାଯାଇଛି । ସେ ଜଣେ ଉତ୍ତମ ବ୍ୟକ୍ତି ଥିଲେ । ତାଙ୍କର ଦୀର୍ଘ ଜୀବନ ଓ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି । ଅନ୍ୟ ଏକ ଟୁଇଟରେ କେଜ୍ରିଓ୍ବାଲ ନୂଆ ଉପ-ରାଜ୍ୟପାଳଙ୍କୁ ସ୍ବାଗତ ଜଣାଇଛନ୍ତି । ଦିଲ୍ଲୀର ବିକାଶ ପାଇଁ ତାଙ୍କୁ ଦିଲ୍ଲୀ ମନ୍ତ୍ରୀମଣ୍ଡଳର ସହଯୋଗ ମିଳିବ ।

 

ସମ୍ବନ୍ଧିତ ଖବର