ବିନୟ ରେଡିଙ୍କ ନିଆରା କୃତିତ୍ବ: ବାଇଡେନ୍‌ଙ୍କ ଉଦ୍‌ଘାଟନୀ ଭାଷଣ ଲେଖି ଖୁବ୍‌ ପ୍ରଶଂସିତ

ଓ୍ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶକ୍ତିଶାଳୀ ଉଦ୍‌ଘାଟନୀ ଭାଷଣରେ ପ୍ରତିଫଳିତ ହୋଇଥିବା ଗଣତନ୍ତ୍ରର ଗୁରୁତ୍ବ, ଆହ୍ବାନ କରୁଥିବା ସମୟ ପାଇଁ ଏକତା ଓ ଆଶାବାଦର ଆବଶ୍ୟକତା ଆଦି ପ୍ରସଙ୍ଗର ରଚୟିତା ଭାରତୀୟ-ଆମେରିକୀୟ ବିନୟ ରେଡି ଏବେ ଦେଶବ୍ୟାପୀ ଭୂୟସୀ ପ୍ରଶଂସା ସାଉଁଟିବାରେ ଲାଗିଛନ୍ତି। ନିଜ ଭାଷଣ ମାଧ୍ୟମରେ ବାଇଡେନ୍‌ ନିଜ ପ୍ରଶାସନ ପାଇଁ ଧାର୍ଯ୍ୟ କରିଥିବା ଲକ୍ଷ୍ୟଗୁଡ଼ିକୁ ଅବତାରଣା କରିବାରେ ତେଲେଙ୍ଗାନା ଜନ୍ମିତ ରେଡିଙ୍କ ଲେଖନୀର ଅବଦାନ ହିଁ ଏବେ ଆଲୋଚ୍ୟର ବିଷୟ ହୋଇଛି। ସମ୍ପ୍ରତି ଆମେରିକାର ଜାତୀୟ ରାଜନୀତିରେ ଦେଖାଦେଇଥିବା ବିଭାଜନର ଉପଶମକୁ ଗୁରୁତ୍ବ ଦେଇ ଦେଶକୁ ଅନନ୍ୟ ଶୀର୍ଷରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବାଇଡେନ୍‌ଙ୍କ ଭାଷଣରେ ରହିଥିବା ରେଡିଙ୍କ ସାବଲୀଳ ତଥା ଉତ୍ସାହପ୍ରଦ ଶବ୍ଦରାଜି ହିଁ ବୁଦ୍ଧିଜୀବୀମାନଙ୍କୁ ପ୍ରଶଂସାରେ ଆତ୍ମହରା କରିପାରିଛି। ପାଠକଙ୍କ ଅବଗତି ପାଇଁ ସେହି ସରଳ ତଥା ମର୍ମସ୍ପର୍ଶୀ ଭାଷଣର କିଛି ଉଦ୍ଧୃତାଂଶ ନିମ୍ନରେ ପ୍ରଦତ୍ତ କରାଗଲା।

‘ଆଜି ହେଉଛି ଆମେରିକାର ଦିବସ, ଏହା ଗଣତନ୍ତ୍ରର ଦିନ ଏବଂ ଇତିହାସ ଓ ଆଶାର ଦିବସ। ଏକତା ବିନା ଶାନ୍ତି ନାହିଁ, କେବଳ ଥାଏ ତିକ୍ତତା ଓ ରୋଷ। ପ୍ରଗତି ନାହିଁ, କେବଳ ଉଲ୍ଲଂଘନ ଓ ବଳପ୍ରୟୋଗ। ଏହା ଆମ ସଂକଟର ଐତିହାସିକ ମୁହୂର୍ତ୍ତ ଓ ସମୟର ଆହ୍ବାନ… ଆଗକୁ କେବଳ ଏକତାର ବାଟ ଫିଟିଛି।’ ଏହିପରି ଅନେକ ପ୍ରସଙ୍ଗର ସରଳ ଉପସ୍ଥାପନା କରିଥିବା ରେଡିଙ୍କ ଲିଖିତ ବାଇଡେନ୍‌ଙ୍କ ଏହି ଭାଷଣ ସବୁ ମହଲରେ ପ୍ରଶଂସିତ ହୋଇଛି। ସେହିପରି ଏହା ଏକ ନିରାଡ଼ମ୍ବର, ସାଦାସିଧା, ଗମ୍ଭୀର, ଶାନ୍ତିପ୍ରଦ, ସ୍ପଷ୍ଟ ଓ ଉତ୍ସାହୀ ଭାଷଣ ଥିଲା ବୋଲି ଐତିହାସିକ ମାଇକେଲ ବାସଲସ କହିଛନ୍ତି।

ସମ୍ବନ୍ଧିତ ଖବର