ନିର୍ଭୟା ମାମଲା : ଦୋଷୀ ବିନୟର ଆଉ ଏକ ଚାଲ୍‌ ପଣ୍ଡ, ପିନ୍‌ ଗିଳି ଦେଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ଫାଶୀ ଟାଳିବା ପାଇଁ ଚଳାଇଥିବା ଆଉ ଏକ ଚାଲ୍‌ ପଣ୍ଡ ହୋଇଯାଇଛି। ବିନୟ ନିଜକୁ ଆହତ କରିବା ପାଇଁ ପିନ୍‌ ଗିଳି ଦେଇଥିବା ଏବଂ ମୁହଁରୁ ରକ୍ତ ବାହାରୁଥିବା ଅଭିନୟ କରିଥିଲା ଏବଂ ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ସତ ବୋଲି ଧରି ନେଇଥିଲେ। ଏହାପରେ ବିନୟର ଚିକିତ୍ସା ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା। ତେବେ ଏକ୍ସରେରୁ ବିନୟ ଆଦୌ ପିନ୍‌ ଗିଳିନଥିବା ଜଣାପଡ଼ିଛି ଏବଂ ତା’ର ସ୍ବାସ୍ଥ୍ୟ ଠିକ୍‌ଠାକ୍‌ ଥିବା ରିପୋର୍ଟରୁ ଜଣାପଡ଼ିଛି। ନିର୍ଭୟା ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ମାର୍ଚ ୩ରେ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଏହା ପୂର୍ବରୁ ଦୋଷୀମାନେ ଫାଶୀ ଟାଳିବା ପାଇଁ ନାନା କୌଶଳ ଅବଲମ୍ବନ କରୁଛନ୍ତି। ତିହାର ଜେଲ୍‌ରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ସବୁଠାରୁ ବେଶୀ ବିଚଳିତ ‌ଅଛି ଦୋଷୀ ବିନୟ। ସେ ନିଜକୁ ମାନସିକ ରୋଗୀ ଦର୍ଶାଇବାକୁ ତୁହାକୁ ତୁହା ଉଦ୍ୟମ କରୁଛି, କିନ୍ତୁ ମେଡିକାଲ ରିପୋର୍ଟରୁ ତା’ର ମାନସିକ ସ୍ଥିତି ଠିକ୍‌ ଅଛି ବୋଲି ଜଣାପଡ଼ିଛି। ଗତକାଲି ପଟିଆଲା ହାଉସ୍‌ କୋର୍ଟ ମଧ୍ୟ ଏ ବାବଦରେ ବିନୟର ଆବେଦନକୁ ଖାରଜ କରିଦେଇଥିଲେ ଏବଂ ସ୍ବାସ୍ଥ୍ୟକୁ ସେ ଡ୍ରାମା କରୁଥିବା କହୁଥିଲେ।

ନିର୍ଭୟା ଦୋଷୀ ଫାଶୀ ଟାଳିବା ପାଇଁ ଅହରହ ଚାଲ୍‌ ଚଳାଇଥିବାରୁ ଏବେ ଜେଲ୍‌ କର୍ତ୍ତୃପକ୍ଷ ଅଧିକ ସତର୍କ ହୋଇଛନ୍ତି ଏବଂ ବିନୟ ଉପରେ କଡ଼ା ନଜର ରଖାଯାଇଛି। ଦୋଷୀମାନଙ୍କ ମାନସିକ ସ୍ଥିତି ସଂପୂର୍ଣ୍ଣ ଠିକ୍‌ ଥିଲେ ମଧ୍ୟ ଯାଞ୍ଚ ସମୟରେ ସେମାନେ ନିଜକୁ ଅସୁସ୍ଥ ବୋଲି ଦର୍ଶାଉଛନ୍ତି। ଦୋଷୀଙ୍କ ପାଖରେ ଆଉ ଆଇନଗତ ବିକଳ୍ପ ନଥିବାରୁ ଜେଲ୍‌ କର୍ତ୍ତୃପକ୍ଷ ‌ଏବେ ସେମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରି ଶେଷ ସାକ୍ଷାତ କରାଇବାକୁ ବ୍ୟବସ୍ଥା କରୁଛନ୍ତି।

ସମ୍ବନ୍ଧିତ ଖବର