ପୁଣି ଫାଶୀ ରୋକିବା‌କୁ ଚାଲ୍ : ଦଣ୍ଡ କୋହଳ ଲାଗି ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ପିଟିସନ୍ ଦାଖଲ୍ କଲା ନିର୍ଭୟା ଦୋଷୀ ବିନୟ

ନୂଆଦିଲ୍ଲୀ:  ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଫାଶୀରେ ଝୁଲାଇବା ଲାଗି ଚତୁର୍ଥ ଥର ପାଇଁ ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳେ, ପୁଣି ଥରେ ଫାଶୀ ଟାଳିବାକୁ ନୂଆ ଚାଲ୍ ଖେଳିଛନ୍ତି ଦୋଷୀ । ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳଙ୍କ ଠାରେ ଅପିଲ କରିଛି ଦୋଷୀ ବିନୟ ଶର୍ମା । ଦୋଷୀ ବିନୟ ଓକିଲ ଏ.ପି.ସିଂ ଜରିଆରେ ଦିଲ୍ଲୀ ଲେପ୍ଟନାଣ୍ଟ ଗଭର୍ଣ୍ଣରଙ୍କ ନିକଟରେ ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବାକୁ ଅନୁରୋଧ କରିଛି।  ଭାରତୀୟ ଦଣ୍ଡ ସଂହିତାର ଧାରା ୪୩୨ ଏବଂ ୪୩୩ରେ ଥିବା ବ୍ୟବସ୍ଥା ଅନୁସାରେ ଏହି ଆବେଦନ କରାଯାଇଛି ବୋଲି କହିଛନ୍ତି ଓକିଲ ଏ.ପି.ସିଂ। ଏଥିସହ ଜାରି ହୋଇଥିବା ଡେଥ୍ ୱାରେଣ୍ଟ ବା ମୃତ୍ୟୁ ପରୱାନାକୁ ବାତିଲ୍ କରିବାକୁ ମଧ୍ୟ ଆବେଦନ କରିଛି ନିର୍ଭୟା ଦୋଷୀ ବିନୟ।

ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କ ପାଇଁ ଚତୁର୍ଥ ଥର ଡେଥ ଓ୍ଵାରେଣ୍ଟ ବା ମୃତ୍ୟୁ ପରଓ୍ଵାନା ଜାରି ହୋଇଛି । ସେମାନଙ୍କୁ ମାର୍ଚ୍ଚ ୨୦ ତାରିଖରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ ଡେଥ ଓ୍ଵାରେଣ୍ଟ ଜାରି କରିଛନ୍ତି । ସେମାନଙ୍କୁ ସକାଳ ୫ଟା ୩୦ ମିନିଟରେ ଫାଶୀ ଦିଆଯିବ।  ପୂର୍ବରୁ ତିନି ଥର ସେମାନଙ୍କ ପାଇଁ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ତାହା ଶେଷ ମୂହୂର୍ତ୍ତରେ ବାତିଲ ହୋଇଥିଲା । ଶେଷ ଥର ପାଇଁ ମାର୍ଚ୍ଚ ୩ରେ ଡେଥ ଓ୍ଵାରେଣ୍ଟ ଜାରି ହୋଇଥିଲେ ମଧ୍ୟ ଅନ୍ୟତମ ଦୋଷୀ ପଓ୍ଵନ ଗୁପ୍ତାର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରାଧୀନ ଥିବାରୁ ଟ୍ରାଏଲ କୋର୍ଟ ମୃତ୍ୟୁ ପରୱାନା ଉପରେ ରହିତାଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର