ନୂଆଦିଲ୍ଲୀ: ‘ଡବ୍ଲୁଏଫ୍ଆଇ’ର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ନାଁରେ ଯୌନଉତ୍ପୀଡ଼ନ ଅଭିଯୋଗ କରି ଜନ୍ତରମନ୍ତରରେ ୮ଦିନ ଧରି ପ୍ରତିବାଦ ପ୍ରଦର୍ଶନ କରିଆସୁଛନ୍ତି କୁସ୍ତି ଖେଳାଳି | ଆଉ ଏହି ଧାରଣା ସମୟରେ ଖେଳାଳିମାନେ ସାମ୍ବାଦିକ ସମ୍ମିଳନୀ କରି ନିଜ ପାଇଁ ନ୍ୟାୟ ଦାବି କରିଛନ୍ତି | ଆଜି ବିରୋଧ ପ୍ରଦର୍ଶନ କରୁଥିବା ବଜରଙ୍ଗ ପୁନିଆ କହିଛନ୍ତି ଯେ ଯେତେବେଳ ଯାଏଁ ନ୍ୟାୟ ମିଳିବ ନାହିଁ, ସେତେ ସମୟ ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ | ଆମର କୋର୍ଟ ଉପରେ ପୁରା ଭରସା ରହିଛି | ସେ କହିଛନ୍ତି ଯେ କୌଣସି ଖେଳାଳିଙ୍କର ଅପରାଧିକ ରେକର୍ଡ ନାହିଁ ବରଂ ବ୍ରିଜଭୂଷଣଙ୍କର ଅପରାଧିକ ରେକର୍ଡ ରହିଛି |
ଅନ୍ୟପଟେ ଭିନେସ ଫୋଗଟ କହିଛନ୍ତି ଯେ ଆଇନ ପ୍ରକ୍ରିୟାକୁ ନେଇ ଆମେ କିଛି କହିବୁ ନାହିଁ | ଅନେକ ରାଜ୍ୟର ଖେଳାଳି ଆମକୁ ସମର୍ଥନ କରୁଛନ୍ତି | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମର ମନର କଥା ଶୁଣନ୍ତୁ | କୋଟି କୋଟି ଲୋକ ଆମ ସମର୍ଥନରେ ଅଛନ୍ତି | ଏହା ହିଁ ଆମର ଶକ୍ତି |
ଉଲ୍ଲେଖ ଥାଉ କି ଭାରତୀୟ କୁସ୍ତି ସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଦେଶର ଆଗଧାଡ଼ିର ମହିଳା କୁସ୍ତିଯୋଦ୍ଧାମାନେ ୮ ଦିନ ଧରି ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି। କୁସ୍ତିଯୋଦ୍ଧାମାନେ ବ୍ରିଜଭୂଷଣଙ୍କୁ ଡବଲ୍ୟୁଏଫ୍ଆଇ ସଭାପତି ପଦରୁ ବିତାଡ଼ିତ କରିବା ଏବଂ ଗିରଫ କରିବାକୁ ଅଡି ବସିଛନ୍ତି।