ନୂଆଦିଲ୍ଲୀ: ମାତ୍ର ୧୦୦ ଗ୍ରାମ୍‌ ଓଜନ ବୃଦ୍ଧି ପାଇଁ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିବା ତଥା ‘କାସ୍‌’ ଶୁଣାଣି ପରେ ପଦକରୁ ବଞ୍ଚିତ ହୋଇଥିବା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କ ବ୍ରାଣ୍ଡରେ କୌଣସି କ୍ଷତି ହୋଇନି। ବରଂ ବ୍ରାଣ୍ଡ ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ହୋଇଛି। ଭିନେଶଙ୍କ ସହ ଚୁକ୍ତି କରିବା ପାଇଁ ଏବେ ପାଖାପାଖି ୧୫ ବ୍ରାଣ୍ଡ ଅପେକ୍ଷାରେ ଅଛନ୍ତି। ସେହି ବ୍ରାଣ୍ଡଗୁଡ଼ିକ ମଧ୍ୟରେ ପ୍ୟାକେଜ୍‌ ଫୁଡ୍‌, ହେଲ୍‌ଥ, ନ୍ୟୁଟ୍ରିସନ୍‌, ଗହଣା, ବ୍ୟାଙ୍କିଂ ଓ ଶିକ୍ଷା ଭିତ୍ତିକ ସଂସ୍ଥା ରହିଛନ୍ତି। ଏହାଫଳରେ ଭିନେଶଙ୍କ ବ୍ରାଣ୍ଡ ମୂଲ୍ୟ ବାର୍ଷିକ ପାଖାପାଖି ୧ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଅଲିମ୍ପିକ୍ସକୁ ଯିବା ପୂର୍ବରୁ ତାଙ୍କର ବ୍ରାଣ୍ଡ ମୂଲ୍ୟ ବ‌ାର୍ଷିକ ୨୫ ଲକ୍ଷରେ ସୀମିତ ଥିଲା ବେଳେ ଅଲିମ୍ପିକ୍ସ ପରେ ୪୦୦ ପ୍ରତିଶତ ବୃଦ୍ଧି ହୋଇଛି।

Advertisment

ଭିନେଶଙ୍କ ବ୍ୟାବସାୟିକ ଦିଗକୁ ଦେଖୁଥିବା ବେସ୍‌ଲାଇନ୍‌ ଭେଞ୍ଚର୍ସର ସହ ପ୍ରତିଷ୍ଠାତା ତୁହିନ ମିଶ୍ରାଙ୍କ କହିବାନୁସାରେ, ବିଭିନ୍ନ ବ୍ରାଣ୍ଡଗୁଡ଼ିକ ଭିନେଶଙ୍କୁ ସେମାନଙ୍କ ସହ ନେବା ପାଇଁ ଆଗ୍ରହ ଦେଖାଇଛନ୍ତି। ସେମାନେ କେବଳ ତାଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇ ନାହାନ୍ତି ବରଂ ବ୍ୟବସ୍ଥା ଦ୍ବାରା ପରାଜିତ ହୋଇଥିଲେ ମଧ୍ୟ ତାଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦେଖି ବଡ଼ ବ୍ରାଣ୍ଡଗୁଡ଼ିକ ଆମ ପାଖକୁ ଆସୁଛନ୍ତି। କେବଳ ଭିନେଶ ନୁହନ୍ତି, ରୌପ୍ୟ ବିଜେତା ଜାଭ୍‌ଲିନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ଓ ଯୁଗଳ କାଂସ୍ୟ ବିଜୟିନୀ ସୁଟର୍‌ ମନୁ ଭାକରଙ୍କ ବ୍ରାଣ୍ଡ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇଛି।

ନୀରଜଙ୍କ ବ୍ରାଣ୍ଡ ମୂଲ୍ୟରେ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହୋଇ ୩୩୫ କୋଟି ଟଙ୍କାରେ ପହଞ୍ଚିଛି। ଯାହାକି ଭାରତରେ ଜଣେ ଅଣ କ୍ରିକେଟର୍‌ କ୍ରୀଡ଼ାବିତ୍‌ଙ୍କ କ୍ଷେତ୍ରରେ ସର୍ବାଧିକ। ୨୦୨୩ ସୁଦ୍ଧା ନୀରଜଙ୍କ ବ୍ରାଣ୍ଡ ମୂଲ୍ୟ ପାଖାପାଖି ୨୫୦ କୋଟି ଟଙ୍କା ରହିଥିଲା। ଅନ୍ୟପକ୍ଷରେ ମନୁ ପୂର୍ବରୁ ଯେତେବେଳେ ବର୍ଷକୁ ୨୫ ଲକ୍ଷ ଟଙ୍କାର ଡିଲ୍‌ କରୁଥିଲେ, ଏବେ ଦେଢ଼ କୋଟି ଟଙ୍କାରେ ଏକ ମୃଦୁ ପାନୀୟ କମ୍ପାନି ସହିତ ଚୁକ୍ତି ସ୍ବାକ୍ଷର କରିଛନ୍ତି। କେବଳ ଏତିକି ନୁହେଁ ପ୍ୟାରିସ୍‌ରୁ ଆସିବା ପରେ ଏକ କ୍ରୀଡ଼ା ପୋଷାକ ନିର୍ମାତା ବ୍ରାଣ୍ଡ ସହିତ ମଧ୍ୟ ସେ ଚୁକ୍ତି ସମାପ୍ତ କରିଛନ୍ତି।