ନୂଆଦିଲ୍ଲୀ: କାସ୍‌ରେ ଭିନେଶ ଫୋଗଟ୍‌ଙ୍କ ମାମଲାର ରାୟ ଘୁଞ୍ଚିଘୁଞ୍ଚି ଯାଉଥିଲେ ବି ଭାରତବାସୀ ଆଶା ହରାଇ ନାହାନ୍ତି। ମଙ୍ଗଳବାର ଏହି ଘଟଣା ଉପରେ ରାୟ ଆସିବ। କିନ୍ତୁ ପ୍ୟାରିସ୍‌ ଅଲିମ୍ପିକ୍ସ ରବିବାରଠୁ ଶେଷ ହୋଇଯାଇଥିବାରୁ ଭିନେଶଙ୍କ ଆବେଦନ ଉପରୁ କେତେକ ଆଶା ହରାଇଲେଣି। କିନ୍ତୁ ଏହାରି ଭିତରେ ରୋମାନିଆର ଜଣେ ଜିମ୍ନାଷ୍ଟ୍‌ଙ୍କୁ ପଦକ ଦିଆଯିବାକୁ କାସ୍‌ ରାୟ ଶୁଣାଇଥିଲା ବେଳେ ଆମେରିକାର ଜିମ୍ନାଷ୍ଟ୍‌ଙ୍କୁ କାଂସ୍ୟ ପଦକ ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଫ୍ଲୋର ଏକ୍ସସରସାଇଜ୍‌ରେ ‌ଆମେରିକାର ଜୋର୍ଡାନ୍‌ ଚିଲ୍‌ସଙ୍କୁ ବିଚାରକମାନେ ପଞ୍ଚମ ସ୍ଥାନରୁ ଆଣି ତୃତୀୟ ସ୍ଥାନରେ ପହଞ୍ଚାଇ ଦେଇଥିଲେ। ତାଙ୍କ ପ୍ରଶିକ୍ଷକଙ୍କ ରିଭ୍ୟୁ ଆବେଦନ ପରେ ବିଚାରକ ଏପରି କରିଥିଲେ। ଯାହାଫଳରେ ତାଙ୍କୁ କାଂସ୍ୟ ପଦକ ମିଳିଥିଲା। ଫଳରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ରୋମାନିଆର ଆନା ବାର୍ବୋସୁ ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ। ଏହାକୁ ରୋମାନିଆ ଦଳ ପକ୍ଷରୁ କାସ୍‌ରେ ଚ୍ୟାଲେଞ୍ଜ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଆମେରିକାର ପ୍ରଶିକ୍ଷକ ଧାର୍ଯ୍ୟ ସମୟର ୧ ମିନିଟ୍‌ ଭିତରେ ରିଭ୍ୟୁ ପାଇଁ ଆବେଦନ କରିବା କଥା। କିନ୍ତୁ ସମୟ ଶେଷ ହେବାର ୪ ସେକେଣ୍ଡ ପରେ ଆମେରିକା ପ୍ରଶିକ୍ଷକ ରିଭ୍ୟୁ ଆବେଦନ କରିଥିଲେ। ଯେଉଁଥିପାଇଁ ଏହି ଆବେଦନକୁ ବୈଧ ବୋଲି ଦର୍ଶାଯିବା ସହ ଆବେଦନକାରୀଙ୍କୁ କାଂସ୍ୟ ପଦକ ଦିଆଯିବାକୁ ନିର୍ଦ୍ଦେଶ ହୋଇଛି। ଏପରିସ୍ଥଳେ ଆନ୍ତର୍ଜାତିକ ମହାସଂଘର ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ପଦକ ଅଦଳବଦଳ ସମ୍ଭବ ହୋଇପାରୁଥିବାରୁ ଭିନେଶଙ୍କ କ୍ଷେତ୍ରରେ ମଧ୍ୟ ସେମିତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଭିନେଶଙ୍କୁ ଓଜନ ମାପିବା ପାଇଁ ଦ୍ବିତୀୟ ସୁଯୋଗ ଦିଆ ନଯିବା ଯୁକ୍ତି ଏହି ସମ୍ଭାବନାକୁ ଅଧିକ ବଢ଼ାଇ ଦେଉଛି।