ଋଷିକେଶ: ୧୯ ବର୍ଷୀୟ ରିସର୍ଟ ରିସେପ୍ସନିଷ୍ଟ୍ ଅଙ୍କିତା ଭଣ୍ଡାରିଙ୍କ ହତ୍ୟା ଘଟଣାରେ ଜଡ଼ିତ ଥିବା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ଗିରଫ ହେବା ପରେ ଏବେ ପୁଲକିତଙ୍କ ବାପା ତଥା ବିଜେପି ନେତା ବିନୋଦ ଆର୍ଯ୍ୟ ମୁହଁ ଖୋଲିଛନ୍ତି। ଦଳରୁ ବହିଷ୍କାର ହେବା ପରେ ପ୍ରଥମ ଥର ପାଇଁ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିନୋଦ ଆର୍ଯ୍ୟ। ସେ କହିଛନ୍ତି ଯେ, ମୋ ପୁଅ ପୁଲକିତ୍ ବହୁତ ଭଲ। ଏହି ଘଟଣା ପରେ ମୁଁ ପୁଲିସକୁ ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବି। ଦଳରୁ ଆମକୁ ବହିଷ୍କାର କରାଯାଇନାହିଁ। ମୁଁ ଏବଂ ମୋ ପୁଅ ଅଙ୍କିତ ନିଜ ଆଡୁ ଇସ୍ତଫା ଦେଇଛୁ। ଯାଞ୍ଚ ଉପରେ କୌଣସି ପ୍ରଭାବ ନପଡୁ ବୋଲି ଆମେ ଦୁହେଁ ଇସ୍ତଫା ଦେଇଥିଲୁ।
ପୁଲକିତଙ୍କ ଭାଇ ଅଙ୍କିତ ଉତ୍ତରାଖଣ୍ଡ ସରକାରଙ୍କ ‘ଉତ୍ତରାଖଣ୍ଡ ଅନ୍ୟାନ୍ୟ ପଛୁଆ ବର୍ଗ କମିସନ୍’ର ଉପାଧ୍ୟକ୍ଷ ଥିଲେ। ଭାଇର ଏଭଳି ଭୁଲ ପରେ ତୁରନ୍ତ ତାଙ୍କୁ ସେ ପଦବୀରୁ ବିଦା କରି ଦିଆଯାଇଥିଲା।
ତେବେ ଆଜି ପୂର୍ବାହ୍ନରେ ପୁଲକିତ ଆର୍ଯ୍ୟଙ୍କ ମାଲିକାନାରେ ଥିବା ‘ବନତାରା ରିସର୍ଟ’କୁ ସ୍ଥାନୀୟ ଲୋକେ ପୋଡ଼ି ପକାଇଥିଲେ। ଏହା ସହ ଗତକାଲି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବାସିନ୍ଦାମାନେ ରିସର୍ଟ ଉପରକୁ ଟେକାପଥର ଫିଙ୍ଗିଥିଲେ। ପୁଲିସ ହାଜତକୁ ନିଆଯାଉଥିବା ପୁଲକିତ ଓ ଆଉ ଦୁଇଜଣ ଅଭିଯୁକ୍ତଙ୍କୁ ମାରଧର କରିବାକୁ ଉଦ୍ୟମ କରିଥିଲେ।
ଅନ୍ୟପକ୍ଷରେ ଏହି ଘଟଣା ପରେ ରାଜ୍ୟରେ ଥିବା ସମସ୍ତ ରିସର୍ଟଗୁଡ଼ିରେ ତଦନ୍ତ କରିବା ସହ ବେଆଇନ ଭାବେ ଚାଲିଥିବା ରିସର୍ଟଗୁଡ଼ିକ ବିରୋଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଜିଲ୍ଲାପାଳମାନଙ୍କୁ ଆଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/ସ-38.jpg)