ଆରପାରିକୁ ଚାଲିଗଲେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ନୂଆଦିଲ୍ଲୀ: ଦେଶର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ଦେହାନ୍ତ ହୋଇଯାଇଛି । ସେ ୬୭ ବର୍ଷ ବୟସରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଯକୃତ ସଂକ୍ରମଣ ହେତୁ ଦୁଆ କିଛି ଦିନ ପରେ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ ୫ ଦିନ ଧରି ତାଙ୍କୁ ଆପୋଲୋ  ଆଇସିୟୁରେ ଚିକିତ୍ସ‌ା କରାଯାଇଥିଲା।

କରୋନା ସଂକ୍ରମଣ ହେତୁ ଚଳିତ ବର୍ଷ ଜୁନରେ ଦୁଆଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ଦୁଆ କରୋନା ସହ ମଧ୍ୟ ଲଢ଼ିଥିଲେ ଏବଂ ସେବେଠାରୁ ତାଙ୍କ ଶରୀର ଅଧିକ ଦୁର୍ବଳ ହୋଇଯାଇଥିଲା | ସୂଚନା ଥାଉ କି ବିନୋଦ ଦୁଆଙ୍କ ଦେହାନ୍ତରେ ଭାରତୀୟ ଟେଲିଭିଜନ ନ୍ୟୁଜ ଇଣ୍ଡଷ୍ଟ୍ରିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି | ଶ୍ରୀ ଦୁଆ ଦୂରଦର୍ଶନ ଓ ଏନଡିଟିଭି ଭଳି  ଅନେକ ଆଗଧାଡ଼ିର ନ୍ୟୁଜ୍ ଚ୍ୟାନେଲରେ କାମ କରିଥିଲେ ଏବଂ ସାମ୍ବାଦିକତା କ୍ଷେତ୍ରରେ ଏକ ଚର୍ଚ୍ଚିତ ନାମ ଥିଲେ |

ତାଙ୍କୁ ସାମ୍ବାଦିକତାର ମହାନ ସମ୍ମାନ ରାମନାଥ ଗୋଏଙ୍କା ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ୨୦୦୮ରେ ତାଙ୍କୁ ସାମ୍ବାଦିକତା ପାଇଁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ଜୁନ୍ ୨୦୧୭ରେ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଜୀବନବ୍ୟାପି ଅବଦାନ ପାଇଁ ତାଙ୍କୁ ମୁମ୍ବାଇ ପ୍ରେସ୍ କ୍ଲବ ଦ୍ୱାରା ରେଡଇଙ୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

ସମ୍ବନ୍ଧିତ ଖବର