ଗୌତମ ଆଦାନୀଙ୍କ ଭାଇ ବିନୋଦ ଶାନ୍ତିଲାଲ ଆଦାନୀ ସବୁଠାରୁ ଧନୀ ପ୍ରବାସୀ ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱର ତୃତୀୟ ଧନୀ ତଥା ଦେଶର ଧନୀ ନମ୍ବର ଏକ ଆଦାନୀ ଗ୍ରୁପ୍‌ର ଅଧ୍ୟକ୍ଷ ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଶାନ୍ତିଲାଲ ଆଦାନୀ ସବୁଠାରୁ ଧନୀ ପ୍ରବାସୀ ଭାରତୀୟ (ଏନଆରଆଇ) ହୋଇପାରିଛନ୍ତି। ବିନୋଦ ଶାନ୍ତିଲାଲ ଆଦାନୀ ମଧ୍ୟ ୧.୬୯ ଲକ୍ଷ କୋଟି ସମ୍ପତ୍ତି ସହିତ ଦେଶର ଧନୀ ନମ୍ବର ଛଅ ହେବା ପ୍ରବାସୀ ଭାରତୀୟ ଧନୀ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ଆଇଆଇଏଫ୍‌ଏଲ୍‌ ପକ୍ଷରୁ ପ୍ରକାଶିତ ୱେଲ୍ଥ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୨ ତଥ୍ୟରୁ ଏହା ଜଣାପଡ଼ିଛି।

ଚଳିତ ବର୍ଷ ୯୪ ଜଣ ପ୍ରବାସୀ (ଏନଆରଆଇ) ଧନୀ ଭାରତୀୟଙ୍କ ତାଲିକାରେ ପ୍ରବେଶ କରିଛନ୍ତି। ବିନୋଦ ଶାନ୍ତିଲାଲ ଆଦାନୀ ସବୁଠାରୁ ଧନୀ ଏନଆରଆଇ ଭାବରେ ଉଭା ହୋଇଥିବାବେଳେ ହିନ୍ଦୁଜା ଭାଇମାନେ ୧.୬୫ ଲକ୍ଷ କୋଟି ସମ୍ପତ୍ତି ସହ ଦ୍ୱିତୀୟ ମାନ୍ୟତା ହାସଲ କରିଛନ୍ତି। ଏନଆରଆଇମାନଙ୍କ ମଧ୍ୟରେ ଆମେରିକାର ୪୮ ଜଣ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଜୟ ଚୌଧୁରୀ ହେଉଛନ୍ତି ଆମେରିକାରେ ରହୁଥିବା ସବୁଠାରୁ ଧନୀ ଏନଆରଆଇ। ଯାହାଙ୍କ ନିକଟରେ ମୋଟ ୭୦,୦୦୦ କୋଟିର ସମ୍ପତ୍ତି ରହିଛି।

ବିନୋଦ ଶାନ୍ତଲାଲ ଆଦାନୀ ଦୁବାଇରେ ରୁହନ୍ତି ଏବଂ ସିଙ୍ଗାପୁର, ଦୁବାଇ ଏବଂ ଜାକର୍ତାରେ ତାଙ୍କର ବ୍ୟବସାୟ ରହିଛି। ସେ ୧୯୭୬ରେ ମୁମ୍ବାଇରେ ଏକ ବୟନ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରେ ଏହାକୁ ସିଙ୍ଗାପୁରରେ ବିସ୍ତାର କରିଥିଲେ। ତା’ପରେ ୧୯୯୪ରେ ଦୁବାଇ ଯିବା ପରେ ତାଙ୍କ ବ୍ୟବସାୟକୁ ମଧ୍ୟପ୍ରାଚ୍ୟକୁ ବିସ୍ତାର କରିଥିଲେ।

ଗତ ବର୍ଷ ସେ ତାଙ୍କ ସମ୍ପତ୍ତିରେ ୩୭,୪୦୦ କୋଟି ଯୋଡିଛନ୍ତି। ବିନୋଦ ଶାନ୍ତିଲାଲ ଆଦାନୀ ଗତ ବର୍ଷ ପ୍ରତିଦିନ ହାରାହାରି ପ୍ରାୟ ୧୦୨ କୋଟି ରୋଜଗାର କରିଥିଲେ। ସେ ମଧ୍ୟ ଭାରତର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ଗତ ବର୍ଷ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ଚଳିତ ବର୍ଷ ଦୁଇଟି ସ୍ଥାନ ଉପରକୁ ଡେଇଁ ନିଜ ପାଇଁ ଷଷ୍ଠ ସ୍ଥାନ ସୁରକ୍ଷିତ କରିଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ବିନୋଦ ଶାନ୍ତିଲାଲ ଆଦାନୀଙ୍କ ସମ୍ପତ୍ତି ୮୫୦ ପ୍ରତିଶତ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର