କଶ୍ମୀରରେ ହିଂସା ତେଜିଲା, ୨ ଜଣ ଯୁବକଙ୍କୁ ଅପହରଣ ପରେ ହତ୍ୟା

ଧାରା ୩୭୦ ଉଚ୍ଛେଦ ପରେ, ପ୍ରଥମ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଗତ ୫ ତାରିଖରୁ ଲାଗିଥିବା କଟକଣା ଏଯାବତ୍‌ ଅନେକ ସ୍ଥାନରେ କୋହଳ ହୋଇନାହିଁ। ଲୋକମାନେ ଭୟରେ ଘରୁ ବାହାରୁ ନାହାନ୍ତି। ସ୍ଥିତି ସ୍ବାଭାବିକ ବୋଲି ସରକାର ଦାବି କରୁଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ହିଂସା ଘଟଣା ପଦାକୁ ଆସୁଛି। ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସନ୍ଦିଗ୍ଧ ଆତଙ୍କବାଦୀ ତ୍ରାଲ୍‌ ସ୍ଥିତ ସତୁରାରେ ଏକ ଯାଯାବର ସମ୍ପ୍ରଦାୟର ୨ ଜଣ ଯୁବକଙ୍କୁ ଅପହରଣ କରିନେଇ ହତ୍ୟା କରିଛନ୍ତି। ସେହି ୨ ଯୁବକ ହେଲେ ମନ୍‌ଜୁର ଅହମ୍ମଦ କୋହଲି ଏବଂ ମୋହଦ କ୍ବାଦିର। ସେମାନଙ୍କୁ ଆତଙ୍କବାଦୀମାନେ ଗତକାଲି ସନ୍ଧ୍ୟାରେ ଅପହରଣ କରିନେଇଥିଲେ ବୋଲି ଜମ୍ମୁ-କଶ୍ମୀର ପୁଲିସ୍‌ ମୁଖପାତ୍ର କହିଛନ୍ତି। ସେମାନଙ୍କ ଗୁଳିବିଦ୍ଧ ଶରୀରକୁ ଆଜି ତ୍ରାଲ୍‌ ସ୍ଥିତ ଜଙ୍ଗଲ ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଘଟଣାରେ ପୁଲିସ ଏବେ ଖୋଳତାଡ଼ ଆରମ୍ଭ କରିଦେଇଛି। ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଧାରା ୩୭୦ ଉଚ୍ଛେଦ କରିବାପରେ ଏହା କଶ୍ମୀରରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ ଘଟଣା। ତେବେ କେଉଁ ଆତଙ୍କବାଦୀ ‌ଗୋଷ୍ଠୀ ଏଥିରେ ସମ୍ପୃକ୍ତ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଗତ ୨୦ ତାରିଖରେ ଉତ୍ତର କଶ୍ମୀରର ବାରମୁଳାରେ ପ୍ରଥମ ଏନ୍‌କାଉଣ୍ଟର ହୋଇଥିଲା। ଏଥିରେ ଜଣେ ଏସ୍‌ପିଓ ସହିଦ ହୋଇଥିଲେ ଏବଂ ଜଣେ ଏଲ୍‌ଇଟି ଆତଙ୍କବାଦୀ ନିହତ ହୋଇଥିଲା। ଉଲ୍ଲେଖଯୋଗ୍ୟ ଗତ ଶନିବାର ଦିନ ଜମ୍ମୁ କଶ୍ମୀରର ଅନନ୍ତନାଗରେ ଏକ ପଥର ମାଡ଼ ଘଟଣାରେ ଜଣେ ଟ୍ରକ୍‌ ଡ୍ରାଇଭର ନିହତ ହୋଇଥିଲେ। ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ଟ୍ରକ୍‌କୁ ବିଶୃଙ୍ଖଳିତ ଜନତା ସୁରକ୍ଷାକର୍ମୀଙ୍କ ଗାଡ଼ି ଭାବି ପଥର ମାଡ଼ କରିବା ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ମଧ୍ୟ ଶ୍ରୀନଗରରେ ଅନ୍ୟ ଏକ ପଥର ମାଡ଼ ଘଟଣାରେ ଜଣେ ୧୦ ବର୍ଷୀୟା‌ ବାଳିକା ଗୁରୁତର ହୋଇଥିଲା।

ସମ୍ବନ୍ଧିତ ଖବର