ହାଓଡ଼ା, ମୁର୍ସିଦାବାଦରେ ପୁଣି ହିଂସା: ଟ୍ରେନ୍‌ ଉପରେ ଆକ୍ରମଣ, ଲୁଟ୍‌ପାଟ୍‌, ୫୩ ଗିରଫ

ବିଜେପିର ବିକ୍ଷୋଭ ପ୍ରଦର୍ଶନ, ଉପଦ୍ରବକାରୀ ମମତାଙ୍କୁ ନିୟନ୍ତ୍ରଣ କରୁଛନ୍ତି: ବିଜେପି

କୋଲକାତା: ପ୍ରଫେଟ ବୟାନକୁ ନେଇ ପଶ୍ଚିମବଂଗର ହାଓଡ଼ା ଏବଂ ମୁର୍ସିଦାବାଦରେ ଆଜି ପୁଣି ହିଂସା ଓ ଉତ୍ତେଜନା ଦେଖିବାକୁ ମିଳିଛି। ଧାରା ୧୪୪ ଲାଗୁ ସତ୍ତ୍ବେ ବିଭିନ୍ନ ସ୍ଥାନରେ ଉପଦ୍ରବକାରୀମାନେ ପଥରମାଡ଼ କରିବା ସହ ପୋଡ଼ଜଳା କରିବାକୁ ପ୍ରୟାସ କରିଛନ୍ତି। ଅନ୍ୟପକ୍ଷରେ ନଦିୟା ଜିଲ୍ଲାରେ ଉପଦ୍ରବକାରୀମାନେ ଏକ ଲୋକାଲ୍‌ ଟ୍ରେନ୍‌ ଉପରେ ଆଜି ଆକ୍ରମଣ କରିଛନ୍ତି। ପ୍ରଫେଟ୍‌ ବୟାନକୁ ନେଇ ବିଜେପିର ନିଲମ୍ବିତ ନେତ୍ରୀ ନୂପରୁ ଶର୍ମାଙ୍କ ବିରୋଧରେ ସ୍ଲୋଗାନ ଦେଇ ବାହାରିଥିବା ୫ ଶହରୁ ଅଧିକ ଆନ୍ଦୋଳନକାରୀ ଅତର୍କିତ ଭାବେ ବେଥରୁଆଡହରି ରେଳ ଷ୍ଟେସନରେ ଚଢ଼ଉ କରିଥିଲେ ଏବଂ ଟ୍ରେନ୍‌ ଉପରେ ଆକ୍ରମଣ କରିଥିଲେ। ଟ୍ରେନ୍‌ ଷ୍ଟେସନ ଛାଡ଼ିବାକୁ ଆରମ୍ଭ କରିବା ମାତ୍ରେ ପ୍ରବଳ ପଥର ମାଡ଼ କରାଯାଇଥିବା ଜଣାପଡ଼ିଛି। ଏହା ସହିତ ଆଖପାଖ ଅଂଚଳରେ ଉପଦ୍ରବକାରୀମାନେ ୫୦ରୁ ଅଧିକ ଦୋକାନରେ ଲୁଟ୍‌ପାଟ୍‌ କରିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପଦ୍ରବକାରୀଙ୍କୁ ସୁହାଇଲା ଭଳି ପଦକ୍ଷେପ ନେଇ ସେମାନଙ୍କ କଥାରେ ପରିଚାଳିତ ହେଉଛନ୍ତି ବୋଲି ରାଜ୍ୟ ବିଜେପି କହିଛି। ହିଂସା ବିରୋଧରେ ବିଜେପି ପକ୍ଷରୁ ଆଜି ସେଣ୍ଟ୍ରାଲ କୋଲକାତାର ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଧାରଣା ପ୍ରଦର୍ଶନ କରାଯାଇଛି। ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଧାରଣାସ୍ଥଳରେ ପହଞ୍ଚିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଉପଦ୍ରବକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗକୁ ସ୍ଥିତି ଅଣାୟତ୍ତ ହେବ ବୋଲି କହିଥିଲେ। ଆଜି ହିଂସା ମାମଲାରେ ପୁଲିସ ୫୩ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର