ଇମ୍ଫାଲ: ମଣିପୁରରେ ପୁଣି ହିଂସା ଉପୁଜି ୪ ଜଣଙ୍କ ଜୀବନ ଯାଇଛି। ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ଦୁର୍ବୃତ୍ତ ଏକ କାର୍ରେ ଯାଉଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ କୁକିର ଜଣେ ଶୀର୍ଷ କମାଣ୍ଡରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା କୁକିର କର୍ମକର୍ତ୍ତାଜଣକ ହେଉଛନ୍ତି ଥାଙ୍ଗବୋଇ ହାଓକିପ୍ ଓ ଥାପି। କୁକି ଜାତୀୟ ସଂଗଠନ/କୁକି ନ୍ୟାସନାଲ ଆର୍ମିର ଡେପୁଟି କମାଣ୍ଡର ଇନ ଚିଫ୍ ଭାବେ ସେ କାର୍ଯ୍ୟ କରୁଥିଲା ବୋଲି ଜଣାଯାଇଛି। ଏହି ଗୁଳିକାଣ୍ଡରେ ୟୁନାଇଟେଡ କୁକି ନ୍ୟାସନାଲ ଆର୍ମିର ହାତ ଥିବା ପୁଲିସ ସନ୍ଦେହ କରୁଛି।
ମୃତକଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟା ମହିଳା ମଧ୍ୟ ଅଛନ୍ତି। ଅପରାହ୍ନ ପ୍ରାୟ ୨ଟା ସମୟରେ ମୋଙ୍ଗଜାଙ୍ଗ ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଚୁରାଚାନ୍ଦପୁର ସହରଠାରୁ ମୋଙ୍ଗଜାଙ୍ଗ ପ୍ରାୟ ୭ କିମି ଦୂର। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେମାନଙ୍କୁ ଏକ ପଏଣ୍ଟ ବ୍ଲାଙ୍କ୍ ରେଞ୍ଜ୍ରୁ ଗୁଳି କରି ହତ୍ୟା କରାଯାଇଛି। ମୃତକମାନଙ୍କ ପରିଚୟ ଏଯାବତ୍ ଜଣାପଡ଼ିନାହିଁ। ତେବେ ଏହି ଆକ୍ରମଣ ପାଇଁ କେହି ନିଜକୁ ଦାୟୀ କରିନାହାନ୍ତି। ଖବର ପାଇ ପୁଲିସ ଏବଂ ଅତିରିକ୍ତ ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। କୁକି ଉଗ୍ରପନ୍ଥୀ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷକୁ ନେଇ ଏହି ଅଘଟଣ ଘଟିଛି ବୋଲି ବିଶ୍ବାସ କରାଯାଉଛି। ପୁଲିସ ଅନୁଯାୟୀ କାର୍ରେ ଯାଉଥିବା ୩ ଜଣ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଗୁଳିମାଡ଼ ସମୟରେ ସେହି ବାଟ ଦେଇ ଯାଉଥିବା ଜଣେ ମହିଳା ମଧ୍ୟ ଗୁଳିମାଡ଼ର ଶିକାର ହୋଇଥିଲେ। ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି।