ଇମ୍ଫା: ମଣିପୁରରେ ପୁଣି ଭୟାନକ ହିଂସା ଉପୁଜିଛି। ଜିରିବାମ ଜିଲ୍ଲାରେ ଉଗ୍ରପନ୍ଥୀମାନେ ଜଣେ ଆଦିବାସୀ ମହିଳାଙ୍କୁ ଗୁଳି କରିବାପରେ ତାଙ୍କ ଶରୀରରେ ନିଆଁ ଲଗାଇ ଜାଳି ଦେଇଛନ୍ତି। ଜିରିବାମ ଜିଲ୍ଲାର ଜଇରାନ୍ ଆଦିବାସୀ ଗ୍ରାମରେ ଗତରାତିରେ ଏହି ଘଟଣା ଘଟିଛି। କୁକି-ଜୋ ସଂଗଠନ ଆଇଟିଏଲଏଫ୍ (ଇଣ୍ଡିଜିନିୟସ ଟ୍ରାଇବାଲ୍ ଲିଡର୍ସ ଫୋରମ୍) ଶୁକ୍ରବାର ଦାବି କରିଛି ଯେ ୩୧ ବର୍ଷୀୟା ମହିଳା ଜୋସାଙ୍ଗକିମ ହମାରଙ୍କୁ ଗୁଳି କରିବା ସହ ତାଙ୍କୁ ଜାଳି ଦିଆଯାଇଛି। ମହିଳାଙ୍କ ଦଗ୍ଧୀଭୂତ ଶରୀର ତାଙ୍କ ଘରୁ ମିଳିଛି। କିଛି ମହିଳା ଏହି ମୃତ ମହିଳାଙ୍କ ଶରୀରର ଅବଶିଷ୍ଟ ଅଂଶକୁ ନେଇ ଯାଉଥିବା ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ୍ କରାଯାଇଛି।
ଉଗ୍ରପନ୍ଥୀମାନେ ଲୋକଙ୍କୁ ଆତଙ୍କିତ କରିବା ପାଇଁ କିଛି ଘର ଉପରେ ଗୁଳିବର୍ଷା କରିଥିବା ବେଳେ ୧୭ଟି ଘର ପୋଡ଼ି ଦେଇଛନ୍ତି। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ପୁଲିସ କହିଛି। ଆକ୍ରମଣକାରୀମାନେ ବ୍ୟାପକ ଲୁଟ୍ପାଟ କରିଛନ୍ତି ଏବଂ ୭ଟି ୨ ଚକିଆ ଗାଡ଼ି ନେଇ ଯାଇଛନ୍ତି ବୋଲି ଆଇଟିଏଲ୍ଏଫ୍ର ଅଭିଯୋଗ ଉପରେ ମଧ୍ୟ ତଦନ୍ତ ଚାଲିଛି। ଉଗ୍ରପନ୍ଥୀମାନେ ନିଆଁ ଲଗାଇଦେବାରୁ ୩ଟି ଗୋଦାମଗୃହ ମଧ୍ୟ ଭସ୍ମୀଭୂତ ହୋଇଛି। ଉଲ୍ଳେଖଯୋଗ୍ୟ, ୨୦୨୩ ମେ’ରୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଘଟଣାରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହେଲାଣି। ପ୍ରାୟ ୬୦ ହଜାର ଲୋକ ହିଂସା ଯୋଗୁଁ ବିସ୍ଥାପିତ ହୋଇଛନ୍ତି।