ଲକ୍ଷ୍ନୌ : ସେନାରେ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ଚାଲିଥିବା ହିଂସା ପାଇଁ ବିହାର ଓ ଉତ୍ତରପ୍ରଦେଶ ସ୍ଥିତି ଅସମ୍ଭାଳ ହେଲାଣି। ଆନ୍ଦୋଳନକାରୀ ବ୍ୟାପକ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ସାଧାରଣରେ ଆତଙ୍କ ସୃଷ୍ଟି କରିଛନ୍ତି। ରେଳଷ୍ଟେସନଗୁଡ଼ିକୁ ଟାର୍ଗେଟ କରାଯିବା ଚିନ୍ତାର କାରଣ ପାଲଟିଛି ଏବଂ ସବୁଠି ଭୟର ବାତାବରଣ ଦେଖିବାକୁ ମଳିଲାଣି। ୟୁପିର ବାଲିଆ ରେଳ ଷ୍ଟେସନରେ ଆଜି ଆନ୍ଦୋଳନକାରୀ ଭଙ୍ଗାରୁଜା କରିଛନ୍ତି ଏବଂ ଏକ ଟ୍ରେନ୍ରେ ନିଆଁ ଲଗାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ମଧ୍ୟ ଅନେକ ବସ୍ ଭଙ୍ଗାରୁଜା କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି। ଉତ୍ତରପ୍ରଦେଶରେ ୧୭ ଟି ଜିଲ୍ଲାର ଶତାଧିକ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ହୋଇଛି।
ଅନ୍ୟପକ୍ଷେ ବିହାରରେ ୧୨ଟି ଜିଲ୍ଲା ତଥା କଇମୁର, ଭୋଜପୁର, ଔରଙ୍ଗାବାଦ, ରୋହତସ, ବକ୍ସାର, ନବାଦା, ପଶ୍ଚିମ ଚମ୍ପାରଣ, ସମସ୍ତିପୁର, ଲଖିସରାଇ, ବେଗୁସରାଇ, ବୈଶାଳୀ ଏବଂ ସାରନାରେ ଜୁନ୍ ୧୯ ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଟେଲିକମ୍ ସେବା ବନ୍ଦ ରହିଛି। ବିହାରର ବିହିୟା ରେଳ ଷ୍ଟେସନର ଟିକଟ କାଉଣ୍ଟରରୁ ଆନ୍ଦୋଳନକାରୀମାନେ ୩.୫୦ ଲକ୍ଷ ଟଙ୍କା ଲୁଟି ନେଇଥବା ଜଣାପଡ଼ିଛି।
ୟୁପିରେ ୧୭ ଜିଲ୍ଲାରେ ବ୍ୟାପକ ହିଂସା
ବିହାରର ୧୨ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ
ରେଳଷ୍ଟେସନରୁ ୩.୫୦ ଲକ୍ଷ ଲୁଟିନେଲେ
୨ ଦିନରେ ଦୁଇ ବିଜେପି ଅଫିସ୍ ଜାଳିଦେଲେ
ପାଟନା : ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନକାରୀମାନେ ୨ ଦିନରେ ବିଜେପିର ୨ଟି ଅଫିସ୍ରେ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନକାରୀମାନେ ଆଜି ବିହାରର ମାଧେପୁରରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା କରବା ସହ ବିଜେପି ଅଫିସ୍ରେ ନିଆଁ ଲଗାଇ ଦେବାରୁ ଏହା ସଂପୂର୍ଣ୍ଣ ଜଳିଯାଇଛି। ହିଂସାରେ ମାତିଥିବା ଶତାଧିକ ଯୁବକ କଲେଜ ଛକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ଆନ୍ଦୋଳନକାରୀମାନେ ଆଜି ମାଧେପୁରରେ ବିଜେପି ଅଫିସ୍ରେ ନିଆଁ ଲଗାଇବା ପରେ ଅଫିସ୍ ବାହାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଔରଙ୍ଗାବାଦରେ ୪ଟି ସ୍କୁଲ୍ ବସ ଏବଂ ଗୋଟିଏ ପୁଲିସ ଭ୍ୟାନକୁ ମଧ୍ୟ ଜାଳି ଦିଆଯାଇଛି।
ମଧ୍ୟପ୍ରଦେଶରେ ୨୦ ଗିରଫ
ଭୋପାଳ : ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି ମୁମ୍ବାଇ-ଆଗ୍ରା ରାଜପଥ ଏବଂ ଲକ୍ଷ୍ମୀନଗର ରେଳ ଷ୍ଟେସନ୍ରେ ଆନ୍ଦୋଳନକାରୀମାନେ ବଡ଼ଧରଣର ଉପଦ୍ରବ କରିଛନ୍ତି। ସେମାନେ ଲକ୍ଷ୍ମୀନଗର ରେଳ ଷ୍ଟେସନ୍ରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଏବଂ ପୁଲିସ ଉପରକୁ ପଥର ମାଡ଼ କରିଥିଲେ। ଉକ୍ତ ଘଟଣାରେ କେତେକ ପୁଲିସ କର୍ମୀ ଆହତ ହୋଇଛନ୍ତି। ଇନ୍ଦୋରରୁ ଆଜି ପୁଲିସ ୨୦ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଗ୍ବାଲିୟରରେ ହିଂସା ପାଇଁ ଗତକାଲି ୩୦ ଜଣ ଗିରଫ ହୋଇଥିଲେ।