ସିଏଏ ବିରୋଧୀ ହିଂସା, ପିଏଫ୍‌ଆଇ ଦେଇଛି ୧୨୦ କୋଟି!

ଇଡିର ଦାବି କପିଲ ସିବଲ, ଇନ୍ଦିରା ଜୟସିଂହ ନେଇଛନ୍ତି ଟଙ୍କା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଉତ୍ତର‌ ପ୍ରଦେଶରେ ହୋଇଥିବା ଭୟଙ୍କର ହିଂସା ପାଇଁ ପଛରେ କେରଳର ପିଏଫ୍‌ଆଇ (ପପୁଲାର୍‌ ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ) ନାମକ ମୁସଲିମ୍ ସଂଗଠନର ହାତ ଅଛି। କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଦାବି କରାଯାଇଛି। ଏହି ସଂସ୍ଥା ବିଭିନ୍ନ ବ୍ୟକ୍ତି ପ୍ରତିଷ୍ଠିତ ବ୍ୟକ୍ତି ଏବଂ ସଂସ୍ଥାଙ୍କ ଆକାଉଣ୍ଟକୁ ୧୨୦ କୋଟି ଟଙ୍କା ପଠାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ସୁପ୍ରିମ କୋର୍ଟର ବିଚାରପତି କପିଲ ସିବଲ୍ ଏବଂ ଇନ୍ଦିରା ଜୟସିଂହ ପ୍ରଭୃତିଙ୍କ ନାମ ରହିଛି।
୨୦୧୮ ମସିହାରୁ ପିଏଫ୍‌ଆଇ ବିରୋଧରେ ଆସିଥିବା ମନି ଲଣ୍ଡରିଂ ମାମଲାର ତଦନ୍ତ ଇଡି କରୁଛି। ଏହି ତଦନ୍ତ ବେଳେ ଇଡି ଜାଣିବାକୁ ପାଇଛି ଯେ, ସଂସଦରେ ଗତବର୍ଷ ନାଗରିକତା ସଂଶୋଧନ ଆଇନ ଗୃହୀତ ହେବା ପରେ ଉତ୍ତର ପ୍ରଦେଶରେ ଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଅତିକମ୍‌ରେ ୧୨୦ କୋଟି ଟଙ୍କା ଜମା ହୋଇଛି। ପିଏଫ୍‌ଆଇ ଏହାର ଅନ୍ୟ ସହଯୋଗୀ ସଂସ୍ଥା ମାଧ୍ୟମରେ ଉତ୍ତର ପ୍ରଦେଶରେ ସିଏଏ ବିରୋଧୀ ହିଂସାକୁ ଉସୁକାଇଥିଲା ବୋଲି ସନ୍ଦେହ କରାଯାଉଛି। ଇଡି ମଧ୍ୟ ତଦନ୍ତ ‌ବେଳେ ଏହାର ପ୍ରମାଣ ପାଇଥିବା କୁହାଯାଉଛି। ଇଡି ଏ ସଂକ୍ରାନ୍ତ ତଦନ୍ତ ରିପୋର୍ଟକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ପଠାଇ ଦେଇଛି। ଯାଞ୍ଚ ବେଳେ ୭୩ଟି ବ୍ୟାଙ୍କ ଖାତା ସମ୍ପର୍କରେ ସୂଚନା ମଳିଛି ଯେଉଁଥିରେ ପିଏଫ୍‌ଆଇର ୨୭ଟି, ଏହାର ସହଯୋଗୀ ସଂସ୍ଥା ଆଇଆଇଏଫ୍‌ର ୯ଟି ଏବଂ ଅନ୍ୟ ବ୍ୟକ୍ତି ଏବଂ ସଂସ୍ଥାଙ୍କ ୩୭ଟି ଖାତା ରହିଛି।

ତେବେ ପିଏଫଆଇ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସିଏଏ ବିରୋଧୀ ହିଂସା ପାଇଁ ଏହା ଦିଆଯାଇନାହିଁ। ତେବେ ୨୦୧୭ ହାଦିୟା ମାମଲାରେ ଓକିଲଙ୍କ ଫି ବାବଦରେ ଏହି ରାଶି ଦିଆଯାଇଥିବା କୁହାଯାଇଛି। କପିଲ ସିବଲ ମଧ୍ୟ ଇଡିର ଏହି ଦାବିକୁ ଖଣ୍ଡନ କରିଛନ୍ତି। ଦାବିୟା ମାମଲା ପରିଚାଳନା ବାବଦରେ ଏହି ରାଶି ପିଏଫ୍‌ଆଇ ଠାରୁ ମିଳିଥିବା ଶ୍ରୀ ସିବଲ କହିଛନ୍ତି। ଇନ୍ଦିରା ଜୟସିଂହ ପିଏଫଆଇଠାରୁ କୌଣସି ସମୟରେ କିଛି ଅର୍ଥ ନେଇନାହାନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର