ନୂଆ ନାଗରିକତା ଆଇନ ପ୍ରତିବାଦରେ ପଶ୍ଚିମବଙ୍ଗ, ଦିଲ୍ଲୀରେ ହିଂସା

କୋଲକତା : ନୂଆ ନାଗରିକତା ଆଇନ ପ୍ରତିବାଦରେ ହିଂସା ପଶ୍ଚିମବଙ୍ଗକୁ ବ୍ୟାପିଛି । ପଶ୍ଚିମବଙ୍ଗରେ ଆଜି ବିକ୍ଷୋଭକାରୀମାନେ ଉଲୁବେରିଆ ରେଳଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି । ଏହା ସହିତ ପଥରମାଡ଼ କରିଛନ୍ତି । ସେହିପରି ରାଜ୍ୟର ମୁର୍ସିଦାବାଦ ଜିଲ୍ଲାରେ ଥିବା ବେଲଡ଼ଙ୍ଗା ରେଳ ଷ୍ଟେସନ କଂପ୍ଲେକ୍ସରେ ବିକ୍ଷୋଭକାରୀମାନେ ନିଆଁ ଲଗାଇଦେଇଛନ୍ତି । ସେଠାରେ ମୁତୟନ ଥିବା ରେଳ ସୁରକ୍ଷା ବଳ (ଆରପିଏଫ)ର ଯବାନମାନଙ୍କୁ ଉତ୍ୟକ୍ତ ଜନତା ଆକ୍ରମଣ କରିଛନ୍ତି । ଏହି ଜିଲ୍ଲାର ସଂଖ୍ୟାଲଘୁ ସଂପ୍ରଦାୟର ସଂଗଠନଗୁଡ଼ିକ ଏସବୁ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହି ଆଇନ ବିରୁଦ୍ଧରେ ଛାତ୍ର ଓ ଅଧ୍ୟାପକମାନେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭକାରୀମାନଙ୍କୁ ଘଉଡ଼ାଇବାକୁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ଓ ମୃଦୁ ଲାଠିଚାଳନା କରାଯାଇଥିଲା । ପୁଲିସ ଲାଠିଚାଳନାରେ ପ୍ରାୟ ୩୦ ଛାତ୍ରଛାତ୍ରୀ ଆହତ ହୋଇଥିବାବେଳେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇଛି । ଏହି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ପକ୍ଷରୁ ପଟେଲ ଛକ ଓ ଜନପଥ ଷ୍ଟେସନକୁ ବନ୍ଦ କରିଦିଆଯାଇଛି ।
ଅନ୍ୟପକ୍ଷରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମ, ତ୍ରିପୁରା ଓ ମେଘାଳୟରେ ହିଂସା ଜାରି ରହିଛି । ଏହି ଆନ୍ଦୋଳନ ଯୋଗୁଁ ଏପର୍ଯ୍ୟନ୍ତ ଆସାମରେ ୩ ଜଣ ବିକ୍ଷୋଭକାରୀ ନିହତ ହୋଇଛନ୍ତି ।

ସମ୍ବନ୍ଧିତ ଖବର