ଜୟପୁର : ରାଜସ୍ଥାନର ଭିଲୱାଡ଼ା ଜିଲ୍ଲାର ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଆଜମେର ଜିଲ୍ଲାରେ ଥିବା ତାଙ୍କ ଶ୍ବଶୁର ଘର ଲୋକମାନେ ଡାହାଣୀ କହି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଚୁଟି କାଟିଦେବା ସହ ମାଡ଼ ମରାଯାଇଛି ଏବଂ ତାତିଲା ପଥର ଓ କୋଇଲାରେ ତାଙ୍କୁ ନିର୍ଯାତନା ଦିଆଯାଇଛି।
ଜୟପୁର ଥାନା ଅଧିକାରୀ ରାଜୁରାମ ପଲାସିଆଙ୍କ କହିବା ଅନୁସାରେ, ଜାହାଜପୁରରେ ରହୁଥିବା ମହିଳାଙ୍କ ବାପା ଥାନାରେ ଝିଅର ଶ୍ବଶୁରଘର ଲୋକଙ୍କ ବିରୋଧରେ ଏତଲା ଦାଏର କରିଛନ୍ତି। ଝିଅକୁ ସେ ସରୱାଦ ଗାଁରେ ବିବାହ ଦେଇଥିଲେ ଓ ବିବାହର ବର୍ଷକ ପରେ ତା’ର ଗୋଟିଏ ପୁଅ ବି ହୋଇଛି। କିନ୍ତୁ ଏହାପରେ ପରିବାର ଲୋକଙ୍କ ବ୍ୟବହାର ବଦଳିଗଲା। ସେମାନେ ତାଙ୍କ ଝିଅ ସହ ଝଗଡ଼ା ଓ ମାଡ଼ପିଟ କରିବା ସହ ବାପଘରକୁ ଛାଡ଼ିଲେ ନାହିଁ। ଗତ ୨୪ ତାରିଖରେ ସେମାନେ ତାଙ୍କ ଝିଅକୁ ଡାହାଣୀ କହି ପଥର ଓ କୋଇଲା ଆଦିରେ ଆକ୍ରମଣ କରିବା ସହ ଚୁଟି କାଟି ଦେଇଥିବା ସେ ଅଭିଯୋଗ କରିଛନ୍ତି। ୨୬ ତାରିଖରେ ପୁଲିସକୁ ଧରି ଝିଅର ବାପା ସମୁଦୀ ଘରେ ପହଞ୍ଚିବା ପରେ ଦେଖିଲେ ଯେ ଝିଅର ଅବସ୍ଥା ଖରାପ ଓ ତା’ର ମେଡିକାଲରେ ଚିକିତ୍ସାର ଆବଶ୍ୟକତା ଅଛି। ଝିଅକୁ ଏବେ ଜାହାଜପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।