ନୂଆଦିଲ୍ଲୀ : ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଯିବା ପରି ଏକ ଭୟଙ୍କର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଶାସକ ଓ ବିରୋଧୀ ମେଣ୍ଟ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସଂସଦରେ ବିବୃତି ରଖିବାକୁ ବିରୋଧୀ ଦଳମାନେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ ମହିଳାମାନଙ୍କ ବିରୋଧରେ ହୋଇଥିବା ଅପରାଧ ଉପରେ ବିଜେପି ଆଜି କଂଗ୍ରେସ-ଶାସିତ ରାଜସ୍ଥାନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ରାଜସ୍ଥାନରେ ମହିଳାମାନଙ୍କ ପ୍ରତି ହୋଇଥିବା ଅପରାଧ ଘଟଣାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ଦାବି କରିଛି ବିଜେପି। ଦୁଷ୍କର୍ମ ମାମଲାରେ ରାଜସ୍ଥାନ ଶୀର୍ଷରେ ରହିଥିବା ବେଳେ ବିହାର ଓ ପଶ୍ଚିମବଂଗରେ ମହିଳା ବିରୋଧୀ ହିଂସା ଅତି ଉଦ୍‌ବେଗଜନକ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି। ସେ କହିଛନ୍ତି ଯେ ଗୋଟିଏ ବର୍ଷରେ ୨୨% ଦୁଷ୍କର୍ମ ମାମଲା ରାଜସ୍ଥାନରେ ଘଟିଥିବା ବେଳେ ରାଜସ୍ଥାନରେ ମହିଳାଙ୍କ ସୁରକ୍ଷା ବିପନ୍ନ ହୋଇପଡ଼ିଛି। ମହିଳାଙ୍କ ବିରୋଧରେ ଯେକୌଣସି ଅପରାଧ ଏକ ଅପରାଧ ଏବଂ କେଉଁ ଦଳ ସରକାରରେ ଅଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ବିରୋଧୀ ଦଳ ଏଥିପାଇଁ ବଙ୍ଗଳା, ବିହାର ଏବଂ ରାଜସ୍ଥାନକୁ ଟିମ୍ ପଠାଇବେ କି ବୋଲି ସେ ପଚାରିଛନ୍ତି।

Advertisment

ଗତବର୍ଷ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ରାଜସ୍ଥାନରେ ଦୁଷ୍କର୍ମ ମାମଲା ସର୍ବାଧିକ ଥିଲା। ଏହି ସଂଖ୍ୟା ଅଶୋକ ଗେହଲଟ ବାଧ୍ୟତାମୂଳକ ଏଫ୍‌ଆଇଆର୍‌ ପଞ୍ଜୀକରଣ ନୀତିରେ ଦର୍ଶାଯାଇଥିବା ବେଳେ ରାଜ୍ୟରେ ମହିଳାଙ୍କ ବିରୋଧରେ ୫୬% ଅପରାଧ ମାମଲା ମିଥ୍ୟା ବୋଲି ଦର୍ଶାଯାଇଛି। ମଣିପୁର ଉପରେ ମନ୍ତ୍ରୀ କହିଛନ୍ତି ଯେ, ସଂସଦରେ ସରକାର ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ଏବଂ ବିରୋଧୀ ଦଳଗୁଡିକ ଏହି ଆଲୋଚନାରୁ ଦୂରେଇ ଯାଉଛନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳମାନେ ଗୃହରେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୟାନ ରଖିବା ପାଇଁ ଜିଦ୍‌ ଧରିଛନ୍ତି ଏବଂ ହିଂସା ପାଇଁ ବିଜେପି ସରକାରକୁ ସିଧାସଳଖ ଦାୟୀ କରିଛନ୍ତି।

ଅନୁରାଗ ଠାକୁର କହିଛନ୍ତି, ୟୁପିଏ କ୍ଷମତାରେ ଥିବାବେଳେ ମଣିପୁରରେ ୬ ମାସ ଧର୍ମଘଟ ହୋଇଥିଲା। ଏବେ ମଣିପୁରରେ ସ୍ଥିତି ସ୍ବାଭାବିକ କରିବାକୁ ସରକାର ସମସ୍ତ ପ୍ରୟାସ କରୁଛନ୍ତି। ବିରୋଧୀ ଦଳମାନେ ସଂସଦରେ ଆଲୋଚନାରୁ ଦୂରେଇ ଯିବାର କାରଣ ହେଉଛି ରାହୁଲ ଗାନ୍ଧି ଅଯୋଗ୍ୟ ଘୋଷିତ ହୋଇଛନ୍ତି ଏବଂ ଏହି କାରଣ ପାଇଁ ସଂସଦ କାର୍ଯ୍ୟ କରୁ ବୋଲି କଂଗ୍ରେସ ଚାହୁନାହିଁ ବୋଲି ଅନୁରାଗ କହିଛନ୍ତି।

ମହିଳାଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ କରିବାରେ ତାଙ୍କ ସରକାରଙ୍କ ବିଫଳତା ଉପରେ ପ୍ରଶ୍ନ କରିବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଷ୍ଟ୍ରମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧାଙ୍କୁ ତାଙ୍କ ପଦରୁ ହଟାଇବା ଘଟଣାକୁ କେନ୍ଦ୍ରମନ୍ତ୍ରୀ ନିନ୍ଦା କରିଛନ୍ତି। ରାଜ୍ୟ ବିଧାନସଭାରେ ତାଙ୍କ ଅଭିଭାଷଣରେ ରାଜେନ୍ଦ୍ର ସିଂହ ଗୁଧା କହିଥିଲେ,‘ଏହା ସତ୍ୟ ଏବଂ ଏହାକୁ ଗ୍ରହଣ କରିବା ଉଚିତ ଯେ ଆମେ ମହିଳାଙ୍କ ନିରାପତ୍ତା ଦିଗରେ ବିଫଳ ହୋଇଛୁ। ମଣିପୁର ବଦଳରେ ରାଜସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର କାହିଁକି ବଢ଼ିଛି ତାହା ଉପରେ ଆମେ ଅନୁଧ୍ୟାନ କରିବା ଉଚିତ।’ ମଣିପୁରର ଭିଡିଓକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନ ବିଷୟରେ ଉଲ୍ଲେଖ କରିବାର ଗୋଟିଏ ଦିନ ପରେ ଗୁଧା ଏହି ମନ୍ତବ୍ୟ ଦେଇଛନ୍ତି।

ଅନୁରାଗ ଠାକୁର କହିଛନ୍ତି ଯେ, ରାଜସ୍ଥାନରେ ମହିଳାଙ୍କ ପ୍ରତି ଯୌନ ଅପରାଧ ସମ୍ପର୍କରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି (ରାଜସ୍ଥାନ ମନ୍ତ୍ରୀ) ଶାନ୍ତି ଧରିୱାଲଙ୍କ ମନ୍ତବ୍ୟ ଉପରେ କାହିଁକି ଚୁପ୍ ଅଛନ୍ତି? ସେ ଆହୁରି ମଧ୍ୟ ରାଜସ୍ଥାନର କରୌଲି, ଯୋଧପୁର, ବିକାନେର ଏବଂ ଉଦୟପୁର ମାମଲାର ଉଦାହରଣ ଦେଇଛନ୍ତି। ପଶ୍ଚିମବଙ୍ଗର ହିଂସା ଉପରେ କାହିଁକି ସେମାନଙ୍କ ମୁହଁ ବନ୍ଦ ରହିଛି? ଉଭୟ ହାଓଡ଼ା ଏବଂ ମାଲଦାରେ ମହିଳାଙ୍କ ଅପମାନ ଉଦ୍‌ବେଗଜନକ। ମମତା ବାନାର୍ଜୀଙ୍କ ମମତା କୁଆଡ଼େ ଗଲା ବୋଲି ସେ ପଚାରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ବିରୋଧୀ ସଂସଦରେ ଆଲୋଚନା କରିବାକୁ ଚାହୁନାହାନ୍ତି ବୋଲି ଅଭିଯୋଗ କରି କହିଛନ୍ତି। ସେ କହିଛନ୍ତି, ପଶ୍ଚିମବଙ୍ଗର ମାଲଦାରେ ଦୁଇ ଦଳିତ ମହିଳାଙ୍କୁ ମାଡ଼ ଦିଆଯିବା ଓ ତାଙ୍କୁ ଉଲ୍ଲଗ୍ନ କରାଯିବାର ଭିଡ଼ିଓ ପ୍ରଦର୍ଶିତ ହୋଇଛି। ରାଜସ୍ଥାନରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ କଂଗ୍ରେସ ଶୁଣିବାକୁ ନାରାଜ। ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ସମୟରେ ହେଉଥିବା ହିଂସା ଓ ହତ୍ୟାକାଣ୍ଡର ନୀରବଦ୍ରଷ୍ଟା ଥିଲା କଂଗ୍ରେସ। କାରଣ ଏହା ତୃଣମୂଳ କଂଗ୍ରେସ ସହ ମେଣ୍ଟ କରିବାକୁ ବ୍ୟାକୁଳ।

ଅନ୍ୟପକ୍ଷରେ ଅଶୋକ ଗେହଲୋଟ୍ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ଆକ୍ରମଣ କରାଯାଉଥିବା ଭିଡିଓ ଉପରେ ମନ୍ତବ୍ୟ ଦେବାକୁ ଯାଇ ରାଜସ୍ଥାନ ଏବଂ ଛତିଶଗଡରେ ଘଟିଥିବା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ଯାହା ରାଜସ୍ଥାନର ଭାବନାକୁ ଆଘାତ ଦେଇଛି।
ସୂଚନାଯୋଗ୍ୟ, ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁର ଘଟଣା ଆମ ଦେଶ ପାଇଁ ଲଜ୍ଜାଜନକ। ଆଇନ ଶୃଙ୍ଖଳାକୁ କଡାକଡି କରିବାକୁ ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି। ରାଜସ୍ଥାନ, ଛତିଶଗଡ କିମ୍ବା ମଣିପୁର ହେଉ, ମହିଳାଙ୍କ ସମ୍ମାନ ପ୍ରସଙ୍ଗ ସବୁ ରାଜନୀତିଠାରୁ ଊର୍ଦ୍ଧ୍ବରେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଅନ୍ୟପକ୍ଷରେ ଆଜି ଇ-ଣ୍ଡି-ଆ ମେଣ୍ଟ ନେତାମାନେ ମଣିପୁର ପ୍ରସଙ୍ଗରେ ବିଜେପିକୁ ଘେରିବା ସହ ବଡ଼ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହଙ୍କ ବହିଷ୍କାର ଦାବି କରି ଆଜି ଟିଏମ୍‌ସି ଓ କଂଗ୍ରେସ ନେତାମାନେ କେନ୍ଦ୍ର ସରକାରକୁ ଘେରିଛନ୍ତି। ଏବେ ମଣିପୁରରେ ପୁଣି ହିଂସା ଦେଖାଦେଇଛି। ଏହି ପ୍ରସଙ୍ଗରେ ଆଗକୁ ଜାତୀୟ ରାଜନୀତି ସରଗରମ ରହିବ ବୋଲି ଅନୁମାନ କରାଯାଉଛି।