ନୂଆଦିଲ୍ଲୀ: ଓଡ଼ିଶାରେ ବିଜେପି ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛି। ରାଜ୍ୟରେ ଦିନକୁ ଦିନ ମହିଳା ବିରୋଧୀ ହିଂସା ବୃଦ୍ଧି ହେଉଛି। ଓଡ଼ିଶାରେ ମହିଳା ବିରୋଧୀ ହିଂସା ପ୍ରସଙ୍ଗରେ ଆଜି ସ୍ଥାନୀୟ କୋଟଲା ମାର୍ଗସ୍ଥିତ ଏଆଇସିସିର ମୁଖ୍ୟାଳୟ ଇନ୍ଦିରା ଭବନରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ୍ ଓ ଓଡ଼ିଶା ମହିଳା କଂଗ୍ରେସ ସଭାପତି ମୀନାକ୍ଷୀ ବାହିନୀପତିଙ୍କ ଉପସ୍ଥିତିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ମହିଳା କଂଗ୍ରେସ ସଭାପତି ଅଳକା ଲାମ୍ବା ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗରେ ବିଜେପି ସରକାର ଆଦୌ ସମ୍ବେଦନଶୀଳ ନୁହନ୍ତି। ଗତ ୧୧ ମାସରେ ଓଡ଼ିଶା ମହିଳାଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ହୋଇଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।
ବିଧାୟିକା ସୋଫିଆ ଫିର୍ଦୋସ୍ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ରାଜ୍ୟରେ ନୂତନ ସରକାର କ୍ଷମତାକୁ ଆସିବା ପରଠାରୁ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ଗଣଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ବଢ଼ି ଚାଲିଛି। ଗଣଦୁଷ୍କର୍ମ ଯେମିତି ଓଡ଼ିଶାରେ ସାଧାରଣ ଘଟଣା ହୋଇଯାଇଛି। ତିନି ଦିନରେ ତିନିଟି ଘଟଣା-ଗୋପାଳପୁର ଗଣଦୁଷ୍କର୍ମ ଘଟଣା, କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା ସଂପର୍କରେ ସେ ଉଲ୍ଲେଖ କରିଥିଲେ। ଏପରିକି ସ୍କୁଲ ଯାଉଥିବା ଆଦିବାସୀ ନାବାଳିକା ଗର୍ଭବତୀ ହେଉଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ରାଜ୍ୟରେ ପ୍ରତ୍ୟେକ ଦିନ ୧୫ରୁ ଅଧିକ ମହିଳା ଓ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। ରାଜ୍ୟରେ ୬୪ ହଜାରରୁ ଅଧିକ ମହିଳା ଓ ଶିଶୁ ନିଖୋଜ ଅଛନ୍ତି। ମହିଳା ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଏ ଦିଗରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ନିଆଯାଉନାହିଁ।
ବିଧାନସଭାରେ ଏହି ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ ଦାବି କରାଯାଇଥିଲା ଯାହାକୁ ଅଗ୍ରାହ୍ୟ କରି ଦିଆଯାଇଛି। ସମସ୍ତେ ଉତ୍ସବ ମନାଇବାର ମାହୋଲରେ ବ୍ୟସ୍ତ। ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ଯେତେବେଳେ କଂଗ୍ରେସ ସ୍ବର ତୀବ୍ର କରୁଛି ତାହାକୁ ଦବେଇ ଦେବାକୁ ପ୍ରୟାସ କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ। ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡ଼ିଶାର ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ ପାଇଁ ପ୍ରୟାସ କରାଯାଇଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଓଡ଼ିଶାରେ ମହିଳା ସୁରକ୍ଷା ପ୍ରସଙ୍ଗରେ ଅବଗତ କରାଇବା ପାଇଁ କଂଗ୍ରେସ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ସମୟ ଲୋଡ଼ିବ। ମହିଳା ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ଆଦୌ ଚୁପ୍ ବସିବ ନାହିଁ ବୋଲି ସେ ଚେତାଇ ଦେଇଥିଲେ।
ଓଡ଼ିଶା ମହିଳା କଂଗ୍ରେସର ସଭାପତି ଶ୍ରୀମତୀ ବାହିନୀପତି କହିଥିଲେ, ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ମହିଳା ବିରୋଧୀ ହିଂସା ବୃଦ୍ଧି ପାଇଛି। କଂଗ୍ରେସ ଦ୍ବାରା ଏହି ପ୍ରସଙ୍ଗକୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା। ରାଜ୍ୟ ସରକାର ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ଆଦୌ ଗୁରୁତ୍ବ ଦେଉନଥିବା ସେ ଅଭିଯୋଗ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ସଂପର୍କିତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ପ୍ରସ୍ତୁତ କରାଯାଇଥିବା ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା।