ନୂଆଦିଲ୍ଲୀ: ଜାତିଆଣ ହିଂସା କବଳିତ ମଣିପୁରର ଦୁଇ ସଂପ୍ରଦାୟର ବିଧାୟକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରସ୍ପର ବିରୋଧୀ ଦୁଇଟି ଚିଠି ପ୍ରଦାନ କରିଛନ୍ତି। ସେହି ବିଧାୟକମାନେ ମୈତେୟୀ ଏବଂ କୁକି ସଂପ୍ରଦାୟର। ରାଜ୍ୟରେ ଆସାମ ରାଇଫଲ୍ସ ବଳର ଉପସ୍ଥିତିକୁ ନେଇ ଏମାନେ ପରସ୍ପର ବିରୋଧୀ ଦାବି କରିଛନ୍ତି। ପ୍ରାୟ ୪୦ ବିଧାୟକ ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ମୈତେୟୀ ସଂପ୍ରଦାୟର ସେମାନେ ମଣିପୁରରୁ ଦେଶର ସର୍ବପୁରାତନ ଅର୍ଦ୍ଧସାମରିକ ବଳକୁ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ଅନ୍ୟପକ୍ଷରେ ୧୦ ଜଣ କୁକି ବିଧାୟକ ଏହା ନକରିବା ପାଇଁ ଚିଠି ଲେଖିଛନ୍ତି। ଆସାମ ରାଇଫଲ୍ସକୁ ରାଜ୍ୟରୁ ବିଦା କରାଗଲେ ଏହା ଆଦିବାସୀଙ୍କ ସୁରକ୍ଷା ପ୍ରତି ବିପଦ ଆଣିବ ବୋଲି କୁହାଯାଇଛି।
ମୈତେୟୀ ଏବଂ କୁକିମାନଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହେବା ପରେ ଆସାମରେ ଗତ ମେ ମାସରୁ ଆସାମ ରାଇଫଲ୍ସ ବଳକୁ ମୁତୟନ କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ନିକଟକୁ ୪୦ ବିଧାୟକ ଲେଖିଥିବା ଚିଠିରେ ଆସାମ ରାଇଫଲ୍ସର ସୈନ୍ୟମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି କରାଯାଇଛି। ଏହା ପରିବର୍ତ୍ତେ ରାଜ୍ୟରେ ବିଶ୍ବାସଯୋଗ୍ୟ କେନ୍ଦ୍ରୀୟ ବାହିନୀ ଏବଂ ରାଜ୍ୟ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିବା ପାଇଁ ସେମାନେ ଲେଖିଛନ୍ତି। ଏଥିସହିତ କୁକି ସନ୍ତ୍ରାସବାଦ ଗୋଷ୍ଠୀ ସହିତ ଅପରେସନ ସ୍ଥଗିତ ରଖିବା ନେଇ ହୋଇଥିବା ରାଜିନାମାକୁ ପ୍ରତ୍ୟାହାର କରିବାକୁ ଏହି ବିଧାୟକମାନେ ଦାବି କରିଛନ୍ତି। କେବଳ ସେତିକି ନୁହେଁ ରାଜ୍ୟରେ ଏନଆରସି (ଜାତୀୟ ନାଗରିକ ପଞ୍ଜୀକରଣ)କୁ କାର୍ଯ୍ୟକାରୀ କରିବା ଏବଂ ସ୍ବୟଂଶାସିତ ଜିଲ୍ଲା ପରିଷଦ (ଏଡିସି)କୁ ମଜଭୁତ କରିବା ଲାଗି ଏମାନେ କହିଛନ୍ତି। କୁକି ଗୋଷ୍ଠୀ ପକ୍ଷରୁ ପୃଥକ ପ୍ରଶାସନ ପାଇଁ କରାଯାଇଥିବା ଦାବିକୁ ଏହି ବିଧାୟକମାନେ ବିରୋଧ କରିଛନ୍ତି। ଉକ୍ତ ଚିଠି ପ୍ରଧାନମନ୍ତ୍ରୀଙ୍କୁ ବୁଧବାର ପ୍ରଦାନ କରାଯାଇଛି।
ଉଲ୍ଲେଖଯୋଗ୍ୟ, ରାଜ୍ୟରୁ ଆସାମ ରାଇଫଲ୍ସ ଅର୍ଦ୍ଧ ସାମରିକ ବଳକୁ ସବୁଦିନ ପାଇଁ ପ୍ରତ୍ୟାହାର କରିବା ଲାଗି ଗତ ୮ ତାରିଖରେ ବିଜେପିର ମଣିପୁର ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରାଯାଇଥିଲା। ଅନ୍ୟପକ୍ଷରେ କୁକି-ଜୋ-ହମର ବିଧାୟକମାନେ ଗୁରୁବାର ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦେଇଛନ୍ତି। ସେମାନେ ଆସାମ ରାଇଫଲ୍ସକୁ ରାଜ୍ୟରେ ପୂର୍ବବତ ମୁତୟନ କରିବା ସପକ୍ଷରେ ମତ ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/54gd65j4gj65jgd4jg6.jpg)