କାଠମାଣ୍ଡୁ: ନେପାଳରେ ସୋସିଆଲ୍‌ ମିଡିଆ ନିଷିଦ୍ଧ ଘଟଣାକୁ ନେଇ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେଇଛି। ଗମ୍ଭୀର ରାଜନୈତିକ ଓ ସାମାଜିକ ସଙ୍କଟ ମଧ୍ୟରେ ଆଜି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍‌ ଇସ୍ତଫା ଦେଇଛନ୍ତି। ସରକାରର ପତନ ପରେ ସେନା ବର୍ତ୍ତମାନ ଶାସନକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେନା ମଧ୍ୟସ୍ଥତାରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି। ଆନ୍ଦୋଳନକାରୀମାନେ ସଂସଦ ଭବନ, ରାଷ୍ଟ୍ରପତି ଭବନ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ସୁପ୍ରିମ୍‌କୋର୍ଟ ସମେତ ବିଭିନ୍ନ ସରକାରୀ ପ୍ରତିଷ୍ଠାନରେ ନିଆଁ ଲଗାଇ ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ ହୋଇଛି। ଏକ ଅଭାବନୀୟ ଘଟଣାକ୍ରମରେ ଆନ୍ଦୋଳନକାରୀମାନେ ପୂର୍ବତନ ପ୍ରଧାନମନ୍ତ୍ରୀ ଝଲନାଥ ଖନଲଙ୍କ ବାସଭବନରେ ନିଆଁ ଲଗାଇ ଦେବା ପରେ ତାଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକାର ଜିଅନ୍ତା ଜଳିଯାଇଛନ୍ତି। ଆଜି ସମଗ୍ର କାଠମାଣ୍ଡୁ ଯୁଦ୍ଧକ୍ଷେତ୍ର ପରି ଦେଖାଯାଉଥିଲା ଏବଂ ପ୍ରତିବାଦକାରୀମାନେ ସବୁ ଅଞ୍ଚଳରେ ବ୍ୟାରିକେଡ୍‌ ଭାଙ୍ଗି ପୁଲିସକୁ ହଟିବାକୁ ବାଧ୍ୟ କରିଥିଲେ। 

Advertisment

ପ୍ରଧାନମନ୍ତ୍ରୀ ଓଲି ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି ଯେ ଯେଉଁ ସମସ୍ୟା ଉପୁଜିଛି ତା’ର ସହଜ ସମାଧାନ ଏବଂ ରାଜନୈତିକ ସମାଧାନ ଦିଗରେ ସହଯୋଗ କରିବା ପାଇଁ ସେ ଇସ୍ତଫା ଦେଉଛନ୍ତି। ନେପାଳରେ ଗତରାତିରେ ସରକାର ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଉପରୁ ପ୍ରତିବନ୍ଧକ ଉଠାଇ ଦେଇଥିବା ଘୋଷଣା କରିବା ସତ୍ତ୍ୱେ ଦ୍ୱିତୀୟ ଦିନ ପାଇଁ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀମାନେ ‘ଦୁର୍ନୀତିଗ୍ରସ୍ତ ସରକାର’ର ପତନ ଘଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଆଜି ସକାଳେ ଆହ୍ବାନ ଦେ‌ଇଥିବା ବେଳେ ସମଗ୍ର ଦେଶ‌ରେ ହିଂସାର ନିଆଁ ଦେଖିବାକୁ ମିଳିଥିଲା। ଆନ୍ଦୋଳନର ଦ୍ୱିତୀୟ ଦିନରେ ଆଉ ଦୁଇଜଣଙ୍କର ମୃତ୍ୟୁ ପରେ ହିଂସାଜନିତ ମୃତ୍ୟୁସଂଖ୍ୟା ୨୨ରେ ପହଞ୍ଚିଛି। ୩୦୦ରୁ ଅଧିକ ଆହତ ହୋଇଛନ୍ତି। ନେପାଳର ଲଲିତପୁର ସହରର ନାଖୁ କାରାଗାରରେ ବନ୍ଦୀ ଥିବା ସମସ୍ତ ୧,୫୦୦ କଏଦୀ ଫେରାର୍‌ ହୋଇଯାଇଛନ୍ତି। ସୁରକ୍ଷା କର୍ମୀମାନେ ଆନ୍ଦୋଳନକାରୀଙ୍କ ସହ ସଂଘର୍ଷରତ ଥିବା ବେଳେ ଏହାର ସୁଯୋଗ ନେଇ କଏଦୀମାନେ ଚମ୍ପଟ ମାରିଥିଲେ। 

ଜିଅନ୍ତା ଜଳିଗଲେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପତ୍ନୀ

ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ ଓଲି ଆନ୍ଦୋଳନକାରୀଙ୍କୁ ହିଂସା ବନ୍ଦ କରିବା ପାଇଁ ନିବେଦନ କରିଥିଲେ। ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ପାଇଁ ସେ ଆହ୍ୱାନ ଦେଇଥିଲେ। ସଙ୍କଟର ସମାଧାନ ପାଇଁ ସନ୍ଧ୍ୟା ୬ଟାରେ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ। କିନ୍ତୁ ଆନ୍ଦୋଳନକାରୀ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ସେନା ସୂତ୍ର ଅନୁଯାୟୀ, ଓଲି ପୂର୍ବରୁ ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ବାସଭବନରୁ ସୁରକ୍ଷିତ ପ୍ରସ୍ଥାନ ସୁନିଶ୍ଚିତ କରିବା ପାଇଁ ସାମରିକ ସହାୟତା ଲୋଡ଼ିଥିଲେ। ତେବେ ସେନା ମୁଖ୍ୟ ତାଙ୍କୁ ତୁରନ୍ତ ପଦ ଛାଡ଼ିବାକୁ ପରାମର୍ଶ ଦେବା ପରେ ସେ ତାହା ଗ୍ରହଣ କରିଥିଲେ। କ୍ଷମତା ଛାଡ଼ିଲେ ହିଁ ସାମରିକ ବାହିନୀ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବ ବୋଲି ତାଙ୍କୁ କୁହାଯାଇଥିଲା। ଏପରିକି ହିଂସା ନିୟନ୍ତ୍ରଣ ବାହାରକୁ ଗଲେ ଓଲିଙ୍କୁ ସୁରକ୍ଷିତ ଦୁବାଇ ପଠାଇଦେବା ପାଇଁ ଏକ ଜେଟ୍‌  ମଧ୍ୟ ବ୍ୟବସ୍ଥା ହୋଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଓଲି ଇସ୍ତଫା ଦେବା ପରେ ଆଜି ଏକ ସେନା ସେଲିକପ୍ଟରରେ ସେ ଅଫିସ୍‌ ଛାଡ଼ିଥିବା ଦେଖିବାକୁ ମିଳିଥିଲା। ଓଲି ସରକାରର ପତନ ପରେ ଅନ୍ତରୀଣ ସରକାର ଗଠନ ପାଇଁ ଚର୍ଚ୍ଚା ଆରମ୍ଭ ହୋଇଛି। ଆନ୍ଦୋଳନକାରୀମାନେ ପୁଣି ଥରେ ନିର୍ବାଚନ କରାଇବାକୁ ଦାବି କରୁଛନ୍ତି। ବାଂଲାଦେଶରେ ଯେଭଳି ଭାବେ ଯୁବଗୋଷ୍ଠୀର ଆନ୍ଦୋଳନ ଯୋଗୁଁ ଶେଖ୍‌ ହସିନାଙ୍କ ସରକାରର ପତନ ହେଲା ଏବଂ ଅନ୍ତରୀଣ ସରକାର ଗଠନ ହେଲା, ତାହାର ପୁନରାବୃତ୍ତି ନେପାଳରେ ହେବାକୁ ଯାଉଛି।

ଅନ୍ୟପକ୍ଷରେ କାଠମାଣ୍ଡୁରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସରକାରୀ ଅଧିକାରୀମାନଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସ୍ଥାନାନ୍ତର କରିବା ପାଇଁ ମନ୍ତ୍ରୀମାନଙ୍କ ବାସଭବନ ଅଞ୍ଚଳରୁ ପ୍ରାୟ ଏକ ଡଜନ ହେଲିକପ୍ଟର ଉଡ଼ାଣ କରିଛି। ପ୍ରମୁଖ ମନ୍ତ୍ରୀମାନଙ୍କୁ ନେବା ପାଇଁ ପାଞ୍ଚଟି ସେନା ହେଲିକପ୍ଟର  ମଧ୍ୟ ନିୟୋଜିତ କରାଯାଇଥିଲା। ବଢ଼ୁଥିବା ଉତ୍ତେଜନା ଯୋଗୁଁ ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ଏବଂ ସମସ୍ତ ଉଡ଼ାଣ ବାତିଲ କରାଯାଇଛି। ମାନବାଧିକାର ସଂଗଠନମାନେ ନେପାଳ ପୁଲିସ ଦ୍ୱାରା ଅତ୍ୟଧିକ ବଳ ପ୍ରୟୋଗ ଓ ମାନବାଧିକାର ଉଲ୍ଲଙ୍ଘନର ଅଭିଯୋଗ ଆଣିଛନ୍ତି।