କୋଲକାତା: ୱକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ଆନ୍ଦୋଳନ ଏବଂ ହିଂସା ବନ୍ଦ ହୋଇ ସ୍ବାଭାବିକ ସ୍ଥିତି ଫେରିଥିବାବେଳେ ଏବେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଭାଙ୍ଗରରେ ଉତ୍ତେଜନା ଦେଖାଦେଇଛି। ୱକଫ୍ ଆଇନ ବିରୋଧୀ ଆନ୍ଦୋଳନକାରୀମାନେ ସହରରେ ପୁଲିସ ସହ ସଂଘର୍ଷ କରିଛନ୍ତି। ସେମାନେ ପୁଲିସ ଭ୍ୟାନ୍ ଓ ଅନ୍ୟ ଗାଡ଼ିଗୁଡ଼ିକୁ ନିଆଁ ଲଗାଇ ଜାଳି ଦେଇଛନ୍ତି। ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ରାସ୍ତା ଜାମ୍ କରିଛନ୍ତି। ଆଇଏସ୍ଏଫ୍ (ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ୍)ର ସମର୍ଥକମାନେ ଆଜି କୋଲକାତାର ରାମଲୀଳା ମଇଦାନକୁ ଏକ ରୢାଲି ପାଇଁ ଯାଉଥିବାବେଳେ ବାଟରେ ସେମାନଙ୍କୁ ପୁଲିସ ଅଟକାଇଥିଲା। ଭାଙ୍ଗର, ମିନାଖାନ୍ ଏବଂ ସନ୍ଦେଶଖାଲିରୁ ଅନେକ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ବାସନ୍ତୀ ରାଜପଥର ଭୋଜେରହାଟରେ ଅଟକା ଯାଇଥିଲା।
ସେମାନେ ବାରିକେଡ୍ ଭାଙ୍ଗିବାପାଇଁ ଚେଷ୍ଟା କରିବା ସମୟରେ ହିଂସା ହୋଇଥିଲା। ଅନେକ ଆନ୍ଦୋଳନକାରୀ ପୁଲିସ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ଏବଂ ଏହି ଘଟଣାରେ ୮ ପୁଲିସ ଆହତ ହୋଇଛନ୍ତି। ବିଶୃଙ୍ଖଳ ଜନତାଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲାଠି ବ୍ୟବହାର କରିଥିଲା ଏବଂ ଏଥିରେ ଜଣେ ଆଇଏସ୍ଏଫ୍ ସମର୍ଥକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହିଂସା ହେବା ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା। ଫଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୁର୍ଶିଦାବାଦରେ ୱକଫ୍ ସଂଶୋଧନ ଆଇନକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ୩ ଜଣଙ୍କ ମୃତ୍ୟୁ ହେବାପରେ ଆଜି ପୁଣି ସେହି ସମାନ ଘଟଣା ଘଟିଛି। ଏହି ମାମଲାରେ ୨ ଜଣ ଗିରଫ ହୋଇଛନ୍ତି। ଅନ୍ୟପକ୍ଷେ ମୁର୍ଶିଦାବାଦ ହିଂସା ଘଟଣାରେ ୨୦୦ରୁ ଅଧିକ ଗିରଫ ହେଲେଣି।
ମୁର୍ଶିଦାବାଦ ହିଂସାର ଏସ୍ଆଇଟି ତଦନ୍ତ ଦାବି
ନୂଆଦିଲ୍ଲୀ: ମୁର୍ଶିଦାବାଦ ହିଂସା ଘଟଣାରେ ଏସ୍ଆଇଟି ତଦନ୍ତ ଦାବି କରି ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ଆଇନଜୀବୀ ଶଶାଙ୍କ ଶେଖର ଝା ଏନେଇ ଆବେଦନ କରିଛନ୍ତି। ସେହିପରି ହିଂସା ଯୋଗୁଁ ଯେଉଁମାନେ ଅଧିକ ବିପଦରେ ରହୁଛନ୍ତି ସେମାନଙ୍କୁ ସୁରକ୍ଷା ଦେବାପାଇଁ ମଧ୍ୟ ଆବେଦନରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମୁର୍ଶିଦାବାଦରେ ଗତ ଶନିବାର ହୋଇଥିବା ହିଂସା ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଏଡିଜି ଜୱେଦ ଶାମିମ୍ ସୋମବାର କହିଛନ୍ତି, ଶାନ୍ତି ଫେରାଇବାପାଇଁ ଉଭୟ ମାଲଦା ଏବଂ ମୁର୍ଶିଦାବାଦ ପ୍ରଶାସନ ଏକାଠି କାମ କରୁଛନ୍ତି। ହିଂସା ଯୋଗୁଁ ଅନେକ ପରିବାର ସେମାନଙ୍କ ଘର ଛାଡ଼ି ପଳାଇଥିଲେ। ଏବେ ସେମାନେ ଧୀରେଧୀରେ ସେମାନଙ୍କ ଘରକୁ ଫେରୁଛନ୍ତି। । ୧୯ଟି ପରିବାର ଏଯାବତ ଫେରିଛନ୍ତି। ଦୋକାନ ବଜାର ଏବେ ଖୋଲୁଛି ଏବଂ ଲୋକମାନେ ଧୀରେଧୀରେ ସ୍ବାଭାବିକ ଭାବେ ସେମାନଙ୍କ କାମ ଆରମ୍ଭ କରୁଛନ୍ତି। ତେବେ ଗୁଜବ ଏବଂ ଭୁଲ୍ ଖବର ପ୍ରସାର ନକରିବାପାଇଁ ଶାମିମ୍ ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି। ପୁଲିସ ଏଯାବତ ଏନେଇ ୨୧୦ ଜଣଙ୍କୁ ଗିରଫ କରି ସାରିଛି।