ଖଲିସ୍ତାନ ବିରୋଧୀ ରୢାଲିରେ ହିଂସା: ପଂଜାବରେ ଉତ୍ତେଜନା କର୍ଫ୍ୟୁ ଜାରି, ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ

ଅମୃତସର: ପଂଜାବର ପଟିଆଲାରେ ଆଜି ଶିବସେନା-ଖଲିସ୍ତାନୀ ସମର୍ଥକ ଗୋଷ୍ଠୀ ମଧ୍ୟରେ ଭୟଙ୍କର ସଂଘର୍ଷ ହୋଇଛି। ଶିବସେନା କର୍ମୀଙ୍କ ଉପରେ ପଥର ମାଡ଼ ସାଙ୍ଗକୁ ଖଣ୍ଡାରେ ଆକ୍ରମଣ ହୋଇଥିବା ବେଳେ ପଟିଆଲାର ସମଗ୍ର କାଳୀ ମନ୍ଦର ଅଞ୍ଚଳ ରଣକ୍ଷେତ୍ର ପାଲଟି ଯାଇଥିଲା। ଶିବସେନାର ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ଉପରେ ଖଲିସ୍ତାନୀ ସମର୍ଥକ ତଥା ନିଷିଦ୍ଧ ଘୋଷିତ ଏକ ଚରମପନ୍ଥୀ ସଂଗଠନର ସଦସ୍ୟମାନେ ଆକ୍ରମଣ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ପଟିଆଲା ପୁଲିସ ପ୍ରଶାସନ ଆଜି ସନ୍ଧ୍ୟାରୁ କର୍ଫ୍ୟୁ ଲାଗୁ କରିଛି। ଶିବସେନା କର୍ମୀମାନେ ପଟିଆଲାରେ ଖଲିସ୍ତାନ ବିରୋଧୀ ଆନ୍ଦୋଳନ ଯାତ୍ରା କରିବା ସମୟରେ ‘ଖଲିସ୍ତାନ ମୁର୍ଦ୍ଦାବାଦ’ ସ୍ଲୋଗାନ ଦିଆଯାଇଥିଲା। ଏହାକୁ ବିରୋଧ କରି ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଉଭୟ ପକ୍ଷ ମଧ୍ୟରେ ପ୍ରାୟ ୨ ଘଣ୍ଟା ଧରି ସଂଘର୍ଷ ଚାଲିଥିଲା।

ପୁଲିସବାହିନୀ ଫାଙ୍କା ଗୁଳିଚାଳନା କରି ଉପଦ୍ରବକାରୀଙ୍କୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲେ। ପଂଜାବରେ କିଛି ଖଲିସ୍ତାନୀ ନେତାଙ୍କ ଦ୍ବାରା ଆଜି ଖଲସ୍ତାନ ପ୍ରତିଷ୍ଠା ଦିବସ ପାଳନ ପାଇଁ ଡାକରା ଦିଆଯିବା ପରେ ଶିବସେନା କାର୍ଯ୍ୟକାରୀ ସଭାପତି ହରିଶ ସିଙ୍ଗଲାଙ୍କ ନେତୃତ୍ବରେ ଖଲିସ୍ତାନ ବିରୋଧୀ ରୢାଲି ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ ରୢାଲି ସ୍ଥଳରେ ଶିବସେନା ଏବଂ ଏକ ଚରମପନ୍ଥୀ ଶିଖ୍‌ ସଂଗଠନର ସଦସ୍ୟମାନେ ମୁହାଁମୁହିଁ ହୋଇଥିଲା। ଖଲିସ୍ତାନୀ ସମର୍ଥକଙ୍କ ପଥର ମାଡ଼ ଓ ଖଣ୍ଡାରେ ଆକ୍ରମଣ ଯୋଗୁଁ ସାଂଘାତିକ ପରିସ୍ଥିତି ଉପୁଜିଥିଲା। କର୍ଫ୍ୟୁ ସତ୍ତ୍ବେ ଆଜି ରାତିରେ କେତେକ ଅଞ୍ଚଳରେ ଉଭୟ ପକ୍ଷ ପୁଣି ମୁହାଁମୁହିଁ ହୋଇଥିବା ରିପୋର୍ଟ ମିଳିଛି। ଶିବସେନା ନେତା ସିଙ୍ଗଲାଙ୍କୁ ଆଜି ରାତିରେ ଗିରଫ କରାଯିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ପଟିଆଲରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଉକ୍ତ ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସେ ଡିଜିପିଙ୍କ ସହ ଆଲୋଚନା କରି ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର