ଆସାମରେ ପ୍ରବଳ ହିଂସା, ୨୪ ଘଣ୍ଟିଆ କର୍ଫ୍ୟୁଜାରି, ଇଣ୍ଟରନେଟ୍ ସେବା ବନ୍ଦ କରାଗଲା

ଗୁଆହାଟୀ : ନାଗରିକତା ସଂଶୋଧନ ବିଲ୍‌ ପ୍ରତିବାଦରେ ଆସାମରେ ହିଂସା ବଢିବାରେ ଲାଗିଛି । ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ରାଜ୍ୟସଭାରେ ଆଜି ଏହି ବିଲ୍‌ ଉପରେ ବିତର୍କ ଜାରି ରହିଥିବାବେଳେ ଆସାମରେ ହିଂସାତ୍ମକ ବିକ୍ଷୋଭ ଜାରି ରହିଛି । ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସଂଧ୍ୟା ୭ଟାଠାରୁ ୨୪ ଘଣ୍ଟା ପାଇଁ ଆସାମର ୧୦ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ମଧ୍ୟରେ ରହିଛନ୍ତି ତିନସୁକିଆ, ଲକ୍ଷ୍ମୀପୁର, ଦିବ୍ରୁଗଡ, ଚେରାଇଦେଓ, ଜୋରହାଟ, ଗୋଲାହାଟ, କାମରୁପ ମେଟ୍ରୋ ଓ କାମରୁପ । ତେବେ ଗୁଆହାଟୀରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲଗାଯାଇଛି । ଏହା ସହିତ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି ।

ତ୍ରିପୁରାରେ ମଧ୍ୟ ୨୪ ଘଣ୍ଟା ପାଇଁ ଇଣ୍ଟରନେଟକୁ ବନ୍ଦ କରାଯାଇଛି । ହିଂସାକୁ ଦୃଷ୍ଟିରେ ରଖି ଆସାମ, ତ୍ରିପୁରାରେ ସେନା ମୁତୟନ କରାଯାଇଛି । ସେନାର ଜଣେ ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ କହିଛନ୍ତି ଯେ ତ୍ରିପୁରାର ମନୁ ଓ କାଞ୍ଚନପୁର ଇଲାକାରେ ଦୁଇ କଲମ ଯବାନ ମୁତୟନ କରାଯାଇଛି । ଗୋଟିଏ କଲମରେ ସାଧାରଣତଃ ୭୦ ଜଣ ଯବାନ ଥାଆନ୍ତି ଓ ତାହା ଦୁଇଜଣ ଅଫିସରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ।

ସମ୍ବନ୍ଧିତ ଖବର