ମୋଦୀଙ୍କ ଗସ୍ତ ପରେ ବାଂଲାଦେଶରେ ହିଂସା: ମନ୍ଦିର, ଟ୍ରେନ୍‌ ଉପରେ ଆକ୍ରମଣ

ଢାକା: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ଶେଷ ହେବା ପରେ ଏହାକୁ ବିରୋଧ କରି ପୂର୍ବ ବାଂଲାଦେଶରେ କେତେକ ମନ୍ଦିର ଉପରେ ଏବଂ ଗୋଟିଏ ଟ୍ରେନ୍‌ ଉପରେ ଆକ୍ରମଣ କରାଯାଇଥିବା କଥା ପୁଲିସ ସୂତ୍ରରୁ ପ୍ରକାଶ। ପୁଲିସ ସହ ସଂଘର୍ଷ ଘଟି କେତେକ ମୌଳବାଦୀ ସଙ୍ଗଠନର ଅନ୍ୟୂନ ୧୦ଜଣ ପ୍ରତିବାଦକାରୀଙ୍କର ମୃତ୍ୟୁ ଘଟିଛି। ଏହି ଅଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ହିଂସା ବୃଦ୍ଧିପାଇଛି ବୋଲି ଜଣାପଡ଼ିଛି। ରବିବାର ଦିନ ହେଫାଜତ୍‌-ଏ-ଇସ୍‌ଲାମ୍‌ ସଂଗଠନର କର୍ମୀମାନେ ବ୍ରାହ୍ମଣବରିଆର ପୂର୍ବ ଜିଲ୍ଲାରେ ଗୋଟିଏ ଟ୍ରେନ୍‌ ଉପରେ ଆକ୍ରମଣ କରିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବାଦ ସରବରାହ ସଂସ୍ଥା ‘ରଏଟର୍ସ’କୁ ବାଂଲାଦେଶର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଆନ୍ଦୋଳନକାରୀ ଟ୍ରେନ୍‌ ଉପରେ ଆକ୍ରମଣ କରି ତାର ଇଞ୍ଜିନ୍‌ ଏବଂ ଅଧିକାଂଶ ବଗି ନଷ୍ଟ କରିଦେଇଛନ୍ତି।

ଏହାଛଡ଼ା, ସହରରେ ଥିବା କେତେକ ହିନ୍ଦୁ ମନ୍ଦିର ଉପରେ ମଧ୍ୟ ଆକ୍ରମଣ କରାଯାଇଛି। ପଶ୍ଚିମ ଜିଲ୍ଲା ରାଜସାହିରେ ମଧ୍ୟ ପ୍ରତିବାଦକାରୀମାନେ ଦୁଇଟି ବସ୍‌ ପୋଡ଼ି ପକାଇଛନ୍ତି ବୋଲି କୁହାଯାଉଛି। ସେହିପରି, ନାରାୟଣଗଞ୍ଜରେ ବହୁସଂଖ୍ୟକ ଆନ୍ଦୋଳନକାରୀ ପୁଲିସ ସହ ସଂଘର୍ଷ କରି ସେମାନଙ୍କ ଉପରକୁ ଟେକାପଥର ଫିଙ୍ଗିଛନ୍ତି। କାଠଗଡ଼ ଓ ବାଲିବସ୍ତା ରଖି ପ୍ରତିବାଦକାରୀମାନେ ବିଭିନ୍ନ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଧ୍ୟ ହୋଇ ପୁଲିସ ରବର ଗୁଳି, ଲୁହବୁହା ବାଷ୍ପ ପ୍ରୟୋଗ କରିବାରୁ ଢାକା ଉପକଣ୍ଠରେ ଥିବା ନାରାୟଣଗଞ୍ଜରେ ଡଜନାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ବାଂଲାଦେଶ ସ୍ବାଧୀନ ହେବାର ୫୦ତମ ବାର୍ଷିକ ପାଳନ ଉତ୍ସବରେ ଅତିଥି ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ ଢାକାରେ ପହଞ୍ଚିଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ ୧.୨ ନିୟୁତ କୋଭିଡ୍‌-୧୯ ଟିକା ଉପହାର ଦେବା ପରେ ଶନିବାର ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲେ।

ସମ୍ବନ୍ଧିତ ଖବର