କୋଲକାତା : ହୋଲି ସମୟରେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସହରର କେତେକ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ରାଜ୍ୟ ସରକାର ଏଠାରେ ବିପୁଳ ସଂଖ୍ୟାର ସୁରକ୍ଷା ବଳ ମୁତୟନ କରିଛନ୍ତି। 

Advertisment

ପୁଲିସ ସୂଚନା ଅନୁଯାୟୀ, ହୋଲି ଦିନ (ଶୁକ୍ରବାର, ମାର୍ଚ୍ଚ ୧୪, ୨୦୨୫) ବୀରଭୂମର ସାନ୍ଥିଆରେ କିଛି ଯୁକ୍ତିତର୍କକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଗୁଜବ ଓ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଅତି କମରେ ୫ଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ଇଣ୍ଟରନେଟ୍ ସେବା ଉପରେ କଟକଣା ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୧୭ ପର୍ଯ୍ୟନ୍ତ ଲାଗୁ ହେବ। ବୀରଭୂମରେ ପଥର ମାଡ଼ ଘଟଣାର ଖବର ମିଳିବା ପରେ ପ୍ରଭାବିତ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। 

ବୀରଭୂମ ଜିଲ୍ଲାର ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଲଗାଯାଇଛି ସେଗୁଡ଼ିକ ହେଲା ସାନ୍ଥିଆ, ହାଟୋରା ଗ୍ରାମ ପଞ୍ଚାୟତ (ଜିପି), ମଠପାଲଶା ଜିପି, ହରିସ୍ରା ଜିପି, ଦରିଆପୁର ଜିପି ଏବଂ ଫୁଲୁର ଜିପି। ଅନ୍ୟୁପକ୍ଷରେ ରାଜ୍ୟ ସରକାର ହିଂସାକାଣ୍ଡକୁ ଲୁଚାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।