ବନ୍ଦ ପାଳନ ଆଳରେ ହିଂସା: ପିଏଫ୍‌ଆଇ କ୍ଷତିଭରଣା ଦେବାକୁ କେରଳ ହାଇକୋର୍ଟଙ୍କ ନିର୍ଦ୍ଦେଶ

ତିରୁଅନନ୍ତପୁରମ୍‌: ଏନଆଇଏ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଗତ ୨୩ ତାରିଖରେ ପିଏଫ୍ଆଇ କେରଳରେ ବନ୍ଦ ପାଳନ କରିବା ସମୟରେ ବ୍ୟାପକ ହିଂସା ହୋଇଥିଲା। ପିଏଫ୍‌ଆଇ କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ଦୋକାନ ବଜାର ଏବଂ ବିଭିନ୍ନ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରାଯାଇଥିଲା। ତେବେ କେରଳ ହାଇକୋର୍ଟ ଆଜି ଏନେଇ ପିଏଫ୍ଆଇକୁ କ୍ଷତିଭରଣା କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପିଏଫ୍‌ଆଇ ୨ ସପ୍ତାହ ମଧ୍ୟରେ ୫.୨୦ କୋଟି ଟଙ୍କା କ୍ଷତିଭରଣା ଦେବାପାଇଁ କେରଳ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କ୍ଷତିଭରଣା ନହେବା ପର୍ଯ୍ୟନ୍ତ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ନଦେବାପାଇଁ ହାଇକୋର୍ଟ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପିଏଫ୍‌ଟି ରାଜ୍ୟ ସଚିବ ଏ ଅବଦୁଲ ସତ୍ତାରଙ୍କୁ ହିଂସା ନେଇ ରୁଜୁ ହୋଇଥିବା ସମସ୍ତ ମାମଲାରେ ଅଭିଯୁକ୍ତ କରିବାପାଇଁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ନାଗରିକଙ୍କ ଜୀବନକୁ ଏମିତି ବିପଦକୁ ଠେଲି ଦିଆଯାଇପାରିବ ନାହିଁ। ଏହି ବାର୍ତ୍ତା ଅତ୍ୟନ୍ତ ସ୍ପଷ୍ଟ। ତୁମେ ଯେକୌଣସି କାରଣ ପାଇଁ ବିକ୍ଷୋଭ କରିପାର। ସମ୍ବିଧାନ ଏଥିପାଇଁ ଅନୁମତି ଦେଇଛି। କିନ୍ତୁ ଅଚାନକ ବନ୍ଦ ଓ ବିକ୍ଷୋଭ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି। ରାଜ୍ୟରେ ବନ୍ଦ ପାଇଁ ୭ ଦିନ ପୂର୍ବରୁ ନୋଟିସ ହେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।

ସମ୍ବନ୍ଧିତ ଖବର