ଜାମିଆ ହିଂସାକୁ ନେଇ ବିବାଦ ତେଜିଲା, ପୁଲିସ ବର୍ବରତା ଓ ଛାତ୍ର ହିଂସାର ଭିଡିଓ ଜାରି

ହିଂସାକାରୀଙ୍କ ମୁକାବିଲା ବେଳେ ବି ଶାନ୍ତ ରହିବାକୁ ହେବ: ଶାହ

ନୂଆଦିଲ୍ଲୀ: ଗତ ଡିସେମ୍ବର ୧୫ରେ ଦିଲ୍ଲୀ ଜାମିଆ ଅଂଚଳରେ ଘଟିଥିବା ହିଂସାକୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ଆଜି ଜାମିଆ ସମନ୍ବୟ କମିଟି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି, ଯେଉଁଥିରେ ଜାମିଆ ମିଲିୟା ଇସ୍‌ଲାମିୟା ବିଶ୍ବବିଦ୍ୟାଳୟର ଲାଇବ୍ରେରିରେ କେତେକ ପୁଲିସ କର୍ମୀ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ କରୁଥିବା ଦେଖିବାକୁ ମିଳିଛି। ଜାମିଆ ସମନ୍ବୟ କମିଟି ଏହି ଭିଡିଓ ଟ୍ବିଟ୍‌ କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଜାମିଆ କ୍ୟାମ୍ପ୍‌ସରେ ପୁଲିସ ଛାତ୍ରଛାତ୍ରୀଙ୍କ ଉପରେ କିଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ କରିଥିଲା ତାହା ଦେଖିବାକୁ ମିଳିଛି। ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ହିଂସାତ୍ମକ ପ୍ରଦର୍ଶନ ପରେ ପୁଲିସ ଜାମିଆ ପରିସରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୁଲିସ ବର୍ବରତାକୁ ନେଇ ଏଭଳି ଭିଡିଓ ଜାରି ହେବାପରେ ଦିଲ୍ଲୀ ପୁଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅନ୍ୟପଟେ ପୁଲିସ ଦ୍ବାରା ଲାଠିମାଡ଼ ପୂର୍ବର ଭିଡିଓ ମଧ୍ୟ ଜାରି ହୋଇଛି। ଏହି ଭିଡିଓ ଜାରି ହେବାପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ବିପୁଳ ସମର୍ଥନ ମିଳୁଥିବା ଦେଖାଯାଇଛି। ୧୫ ଡିସେମ୍ବର ୨୦୧୯ରେ ସିଏଏକୁ ବିରୋଧ‌ କରି ଛାତ୍ରମାନେ କିଭଳି ହିଂସା ଭିଆଉଛନ୍ତି ତାହା ଏହି ଭିଡିଓରେ ରହିଛି। ଛାତ୍ରମାନେ ପୁଲିସ କର୍ମୀଙ୍କ ଉପରକୁ ପଥର ମାଡ଼ କରିବା ପରେ ଲାଇବ୍ରେରିକୁ ପଳାଇଥିଲେ। ଉପଦ୍ରବକାରୀ ଛାତ୍ରମାନେ ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି।

ଏହି ମାମଲାକୁ ନେଇ ସରଗରମ ସ୍ଥିତି ଉପୁଜିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ବିଶୃଙ୍ଖଳାକାରୀଙ୍କ ସହ ମୁକାବିଲା ବେଳେ ବି ପୁଲିସକୁ ଶାନ୍ତ ରହି ପଦକ୍ଷେପ ନେବାକୁ ହେବ। ସେମାନେ ଯେତେ ଉସୁକାଇଲେ ବି ପୁଲିସକୁ ଧୈର୍ଯ୍ୟର ସହ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ହେବ ବୋଲି ଶାହ କହିଛନ୍ତି। ଆଜି ଦିଲ୍ଲୀ ପୁଲିସର ୭୩ତମ ସ୍ଥାପନା ଦିବସ ସମାରୋହରେ ଶାହ ଦିଲ୍ଲୀ ପୁଲିସକୁ ଭୂୟସୀ ପ୍ରଶଂସା କରିଛନ୍ତି। ବିଶ୍ବର ଅଗ୍ରଣୀ ମେଟ୍ରୋପଲିଟାନ ପୁଲିସ ଫୋର୍ସ ମଧ୍ୟରେ ଦିଲ୍ଲୀ ପୁଲିସ ଅନ୍ୟତମ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର