ଜମ୍ମୁ କାଶ୍ମୀରରେ ହିଂସା ୩୬% କମିଛି

ନୂଆଦିଲ୍ଲୀ: ଚଳିତ ବର୍ଷ ଜୁଲାଇ ସୁଦ୍ଧା ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ହିଂସା ୩୬ ପ୍ରତିଶତ କମିଯାଇଛି ଏବଂ ଆଇନ ଶୃଙ୍ଖଳା ଉପୁଜିବା ଭଳି ସ୍ଥିତି ୭୪ ପ୍ରତିଶତ କମିଯାଇଛି। ସମଗ୍ର ୨୦୧୯ ବର୍ଷରେ ଯେତେ‌ ଆତଙ୍କବାଦୀ ନିପାତ ହୋଇଥିଲେ ୨୦୨୦ର ପ୍ରଥମ ୭ ମାସରେ ପାଖାପାଖି ସେତିକି ଆତଙ୍କବାଦୀ ନିପାତ ହେଲେଣି। ତଥ୍ୟ ଅନୁଯାୟୀ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ହିଂସା ଯଥେଷ୍ଟ କମ୍‌ ରହିଛି। ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ୬୯ ଅସ୍ତ୍ରବିରତି ଉଲ୍ଳଂଘନ ଏବଂ ଏନ୍‌କାଉଣ୍ଟର ହୋଇଥିବାବେଳେ ୨୧ ଗ୍ରେନେଡ୍‌ ଆକ୍ରମଣ, ୨୨ ଗୁଳିକାଣ୍ଡ୍‌, ଥରେ ଆଇଇଡି ବିସ୍ଫୋରଣ ହୋଇଛି। ତେବେ ୨୦୧୯ ଜୁଲାଇ ୧୫ ସୁଦ୍ଧା ୮୧ ଅସ୍ତ୍ରବିରତି ଉଲ୍ଲଂଘନ/ ଏନ୍‌କାଉଣ୍ଟର୍‌, ୫୧ ଗ୍ରେନେଡ୍‌ ଆକ୍ରମଣ, ୬୦ ଆଇଇଡି ବିସ୍ଫୋରଣ ଏବଂ ଆତଙ୍କବାଦୀଙ୍କ ଦ୍ବାରା ୪୩ ଥର ଗୁଳିଚାଳନା ହୋଇଥିଲା।

ତେବେ ଗତ ବର୍ଷ ଏହି ସମୟ ସୁଦ୍ଧା ୭୫ ସୁରକ୍ଷାକର୍ମୀ ସହିଦ ହୋଇଥିବାବେଳେ ଚଳିତବର୍ଷ ୩୫ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ୨୨ ସାଧାରଣ ନାଗରିକଙ୍କ ଜୀବନ ଯାଇଛି। ଆଇନ ଶୃଙ୍ଖଳା ସ୍ଥିତି ମଧ୍ୟ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ୭୪ ପ୍ରତିଶତ କମିଛି। ଗତବର୍ଷ ଜୁଲାଇ ସୁଦ୍ଧା ୩୮୯ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଥିବାବେଳେ ଚଳିତବର୍ଷ ଏହା ୧୦୨କୁ କମିଆସିଛି। ତେବେ କେବଳ ଅସ୍ତ୍ରବିରତି ଉଲ୍ଲଂଘନ ବୃଦ୍ଧି ପାଇଛି। ୨୦୧୯ ଜୁଲାଇ ସୁଦ୍ଧା ୨୬୭ ଅସ୍ତ୍ରବିରତି ଉଲ୍ଳଂଘନ ହୋଇଥିବାବେଳେ ଚଳିତବର୍ଷ ଏହା ୪୮୭କୁ ବୃଦ୍ଧି ପାଇଛି। କିନ୍ତୁ ଅନୁପ୍ରବେଶ ଉଦ୍ୟମ ୫୦ ପ୍ରତିଶତ କମିଯାଇଛି। ଗତବର୍ଷ ଜୁଲାଇ ୩୧ ସୁଦ୍ଧା ୧୩୧ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଚଳିତବର୍ଷ ଜୁଲାଇ ୩୦ ସୁଦ୍ଧା ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ୧୦୯ ଆତଙ୍କବାଦୀ ନିପାତ ହୋଇଥିବାବେଳେ ଜୁନ୍‌ରେ ୪୯ ଆତଙ୍କବାଦୀ ନିପାତ ହୋଇଥିଲେ। କିନ୍ତୁ ୨୦୧୯ ଜୁନ୍‌ରେ ୨୫ ଆତଙ୍କବାଦୀ ନିପାତ ହୋଇଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଚଳିତବର୍ଷ ନିପାତ ହୋଇଥିବା ୮୮ ପ୍ରତିଶତ ଆତଙ୍କବାଦୀ ସ୍ଥାନୀୟ କାଶ୍ମୀର ବାସିନ୍ଦା। ସ୍ଥାନୀୟ ଆତଙ୍କବାଦୀ ନିଯୁକ୍ତ ମାମଲା ମଧ୍ୟ ଗତବର୍ଷ ତୁଳନାରେ ଚଳିତବର୍ଷ ୩୬ ପ୍ରତିଶତ କମିଯାଇଛି। ୨୦୧୯ ଜୁଲାଇ ସୁଦ୍ଧା ୧୨୪ ସ୍ଥାନୀୟ ଆତଙ୍କବାଦୀ ନିଯୁକ୍ତ ହୋଇଥିବାବେଳେ ଚଳିତବର୍ଷ ଜୁଲାଇ ସୁଦ୍ଧା ୮୦ ସ୍ଥାନୀୟ ଆତଙ୍କବାଦୀ ନିଯୁକ୍ତ ହୋଇଛନ୍ତି। ତେବେ ଜମ୍ମୁ କାଶ୍ମୀରରେ ଏବେ ପ୍ରାୟ ୨୫୦ ଆତଙ୍କବାଦୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୧୦୦ ଜଣ ଦକ୍ଷିଣ କାଶ୍ମୀରର। ୨୫୦ ଆତଙ୍କବାଦୀଙ୍କ ମଧ୍ୟରୁ ୩୫-୪୦ ପ୍ରତିଶତ ବିଦେଶୀ ଆତଙ୍କବାଦୀ ବୋଲି ଜଣାପଡ଼ଛି।

ସମ୍ବନ୍ଧିତ ଖବର