ଜେଏନ୍‌ୟୁ ହିଂସା: ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ୟୁନିଟି ଏଗେନ୍‌ଷ୍ଟ୍‌ ଲେଫ୍ଟ’ର ୩୭ ସଦସ୍ୟ ହିଂସାରେ ସମ୍ପୃକ୍ତ

ନୂଆଦିଲ୍ଲୀ, : ଜେଏନ୍‌ୟୁ (ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ) ହିଂସା ଘଟଣାରେ ସମ୍ପୃକ୍ତି ଥିବା ନେଇ ପୁଲିସ ଗତକାଲି ୯ ଜଣଙ୍କ ନାମ ଏବଂ ଫଟୋ ଜାରି କରିଥିଲା। ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି ଐଶୀ ଘୋଷ ମଧ୍ୟ ହିଂସାରେ ସମ୍ପୃକ୍ତି ଥିଲେ ବୋଲି ଦିଲ୍ଲୀ ପୁଲିସ ପକ୍ଷରୁ କୁହାଯାଇଥିଲା। ଆଜି ଏସ୍‌ଆଇଟି ଉକ୍ତ ଘଟଣାରେ ଅନ୍ୟ ୩୭ ଜଣ ହିଂସାରେ ସମ୍ପୃକ୍ତ ଥିବା ଚିହ୍ନଟ କରିଛି। ୩୭ ଜଣଙ୍କୁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ ଠାବ କରାଯାଇଛି। ବାମ ଛାତ୍ର ସଂଗଠନ ବିରୋଧରେ ସୃଷ୍ଟି ହୋଇଥିବା ଏହି ହ୍ବାଟ୍ସଆପ୍‌ ଗ୍ରୁପ୍‌ର ନାମ ରହିଛି ‘ୟୁନିଟି ଏଗେନ୍‌ଷ୍ଟ୍‌ ଲେଫ୍ଟ୍‌’। ଗ୍ରୁପ୍‌ରେ ସମୁଦାୟ ୬୦ ଜଣ ସଦସ୍ୟ ଥିବା ବେଳେ ଏମାନଙ୍କ ମଧ୍ୟରୁ ୩୭ ଜଣଙ୍କୁ ପୁଲିସ ଚିହ୍ନଟ କରିଛି। ଏହି ଗ୍ରୁପ୍‌ରେ ଥିବା ପ୍ରାୟ ୧୦ ଜଣ ଜେଏନ୍‌ୟୁର ନୁହନ୍ତି ବୋଲି ଜଣାପଡ଼ିଛି। ଜାନୁଆରି ୫ ତାରିଖରେ ହିଂସା ଘଟିବା ଦିନ ହିଁ ବାମ ଦଳ ବିରୋଧରେ ଏହି ଗ୍ରୁପ୍‌ ସୃଷ୍ଟି ହୋଇଥିଲା ବୋଲି ଦିଲ୍ଲୀ ପୁଲିସ କହିଛି।

ଉଲ୍ଲେଖଯୋଗ୍ୟ ଗତକାଲି ଦିଲ୍ଲୀ ପୁଲିସ ଦ୍ବାରା ‌ଯେଉଁ ୯ ଜଣଙ୍କ ଫଟୋ ଜାରି ହୋଇଥିଲା ସେମାନେ ହେଉଛନ୍ତି ଚୁନ୍‌ଚୁନ୍‌ କୁମାର, ପଙ୍କଜ ମିଶ୍ର, ଐଶୀ ଘୋଷ, ଭାସ୍କର ବିଜୟ, ସୁଚେତା ତାଲୁକରାଜ, ପ୍ରିୟ ରଂଜନ, ଦୋଲନ ସାୱନ୍ତ, ଯୋଗେନ୍ଦ୍ର ଭରଦ୍ବାଜ ଏବଂ ବିକାଶ ପ‌ଟେଲ। ଆଜି ସକାଳେ ଜେଏନ୍‌ୟୁ ଭିସି ଏମ୍‌ ଜଗ‌‌ଦୀଶ କୁମାର ଛାତ୍ରଛାତ୍ରୀଙ୍କ ସହ ପ୍ରଥମ ବୈଠକ କରିଛନ୍ତି। ଅନ୍ୟପକ୍ଷେ ଜେଏନ୍‌ୟୁ ଛାତ୍ର ସଂସଦ ପକ୍ଷରୁ ଦାବି କରାଯାଇଛି ଯେ ହିଂସା ଦିନ ବିଶ୍ବବିଦ୍ୟାଳୟରେ କିଛି ଦୁର୍ବୃତ୍ତ ଲୁଚି ରହିଥିବା ସୂଚନା ଦିଆଯାଇଥିଲା କିନ୍ତୁ ପୁଲିସ ଏ ଦିଗରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ‌ଜେଏନ୍‌ୟୁଏସ୍‌ୟୁ ପକ୍ଷରୁ ଦାବି କରାଯାଇଛି ଯେ ଏବିଭିପି ହିଂସାରେ ସମ୍ପୃକ୍ତ ଥିବାରୁ ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉଛି। ଏବିପିଭିର ଛାତ୍ରନେତାମାନେ କହିଛନ୍ତି ଯେ ବାମପନ୍ଥୀ ଛାତ୍ର ସଂଗଠନ ପକ୍ଷରୁ ଯେଉଁ ଘାତକ ଆକ୍ରମଣ ହୋଇଥିଲା ସେଥିରେ ବହୁ ସଂଖ୍ୟାରେ ଏବିଭିପି ସମର୍ଥକ ଆହତ ହୋଇଛନ୍ତି। ସଭାପତି ଐଶୀ ଘୋଷ ଅଧିକ ଦିନ ‘ଭିକ୍ଟିମ୍‌ କାର୍ଡ’ ଖେଳିପାରିବେ ନାହିଁ ବୋଲି ଏବିଭିପି କହିଛି।

ସମ୍ବନ୍ଧିତ ଖବର