କଶ୍ମୀରରେ ବ୍ୟାପକ ହିଂସା, ୫୦ରୁ ଅଧିକ ସ୍ଥାନରେ ପଥର ଆକ୍ରମଣ

ଟ୍ରକ୍‌ ଡ୍ରାଇଭର ନିହତ

ଶ୍ରୀନଗର: ଦକ୍ଷିଣ କଶ୍ମୀରରେ ଆଜି ବ୍ୟାପକ ହିଂସା ଦେଖିବାକୁ ମିଳିଛି। ୫୦ରୁ ଅଧିକ ସ୍ଥାନରେ ସୁରକ୍ଷା ବାହିନୀ ଉପରେ ସ୍ଥାନୀୟ ହିଂସାକାରୀମାନେ ପଥର ଆକ୍ରମଣ କରିଛନ୍ତି। ଅନନ୍ତନାଗ ଜିଲ୍ଲା ଅଧୀନସ୍ଥ ବିଜ୍‌‌ବେହରା ଅଞ୍ଚଳରେ ହୋଇଥିବା ଏକ ପଥର ମାଡ଼ ଘଟଣାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଜମ୍ମୁ କଶ୍ମୀର ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ସ୍ଥାନୀୟ ହିଂସା ସୃଷ୍ଟିକାରୀ ଯୁବକମାନେ ଏକ ଟ୍ରକ୍‌କୁ ସୁରକ୍ଷାକର୍ମୀଙ୍କ ଗାଡ଼ି ଭାବି ଭୟଙ୍କର ପଥର ମାଡ଼ କରିଥିଲେ। ଫଳରେ ଟ୍ରକ୍‌ ଚାଳକ ନୁର ମହମ୍ମଦ ଦାର୍‌ଙ୍କ ମୁଣ୍ଡରେ ପଥର ମାଡ଼ ହୋଇଥିଲା। ନୁର ମହମ୍ମଦ୍‌ଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲେ ମଧ୍ୟ ‌ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି ଏବଂ ୬ ଜଣଙ୍କୁ ଅଟକ ରଖି ଜେରା କରୁଛି। ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ମଧ୍ୟ ରୁଜୁ ହୋଇଛି। ୪୨ ବର୍ଷୀୟ ନୁର ମହମ୍ମଦ୍‌ଙ୍କ ଘର ବିଜ୍‌ବେହରା ଅଞ୍ଚଳ ସ୍ଥିତ ଜ୍ରାଦିପୁରାରେ। ଆନ୍ଦୋଳନକାରୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରୁଥିବାରୁ ଏହା ସୁରକ୍ଷାବାହିନୀ ପାଇଁ ଚିନ୍ତାର କାରଣ ‌ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଆଜି ଗିରଫ ହୋଇଥିବା ୨ ଯୁବକ ପୂର୍ବରୁ କୌଣସି ଅପରାଧରେ ସମ୍ପୃକ୍ତ ନଥିଲେ। ବିଚ୍ଛିନ୍ନତାବାଦୀମାନେ ଅର୍ଥ ଲୋଭ ଦେଖାଇ ଯୁବକମାନଙ୍କୁ ସେନା ଉପରେ ପଥର ଆକ୍ରମଣ ପାଇଁ ପଠାଉଥିବା ଜଣାପଡ଼ିଛି। ଜମ୍ମୁ କଶ୍ମୀର ପୁଲିସ ଡିଜି ଦିଲବାଗ୍‌ ସିଂହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର